ଅପରାଧଦେଶନ୍ୟୁଜ୍ରାଜନୀତି

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ରିଙ୍କୁ ଶର୍ମା ହତ୍ୟା ମାମଲା

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୨/୧୦୨୧ : ଆଉଟର ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଗୁରୁବାର ରାତିରେ ୨୫ ବର୍ଷୀୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ରିଙ୍କୁ ଶର୍ମାଙ୍କ ହତ୍ୟା ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଫେବୃଆରୀ ୧୧ ତାରିଖ ରାତିରେ ଜନ୍ମଦିନ ପାର୍ଟିରେ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଏତେ ବଢିଗଲା ଯେ ରିଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ମାମଲାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ରିଙ୍କୁଙ୍କ ଭାଇ ମନ୍ନୁ ଆରୋପ ଲଗାଇଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ ଅଭିଯାନରେ ସକ୍ରିୟ ଥିବାରୁ ରିଙ୍କୁଙ୍କୁ ହତ୍ୟା କରାଯାଇଛି । ତେବେ କୌଣସି ସାମ୍ପ୍ରଦାୟିକ କୋଣରୁ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଅସ୍ବୀକାର କରିଛି । ପୋଲିସ କହିଛି ଯେ ଜନ୍ମଦିନ ପାର୍ଟିରେ କୌଣସି ବ୍ୟବସାୟିକ ମାମଲାକୁ ନେଇ ଝଗଡା ହୋଇଥିଲା । ପୋଲିସ ମାମଲାରେ ୫ଜଣଙ୍କୁ ଗିରଫ କରିଛି । ଗିରଫ ୫ଜଣ ହେଲେ ଜାହିଦ, ମେହତାବ, ଦାନିଶ, ତାଜୁଦ୍ଦିନ ଓ ଇସ୍ଲାମ । ପୋଲିସ କହିଛି ଯେ ଅଭିଯୁକ୍ତମାନେ ପୀଡିତଙ୍କ ଘର ଆଡକୁ ଲାଠି ନେଇ ଯାଉଥିବା ସିସିଟିଭିରେ ନଜର ଆସିଛି । ରିଙ୍କୁ ଶର୍ମା ଲ୍ୟାବ ଟେକନିସିଆନ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ପୋଲିସକର୍ମୀ ନିୟୋଜିତ କରାଯାଇଛି ।ଦିଲ୍ଲୀ ପୋଲିସର ଜନସମ୍ପର୍କ ଅଧିକାରୀ ଚିନ୍ମୟ ବିଶ୍ୱାଳ କହିଛନ୍ତି ଯେ ଫେବୃଆରୀ ୧୦ ତାରିଖରେ ଜନ୍ମଦିନ ପାର୍ଟି କରିବାକୁ କିଛି ଯୁବକ ରେସ୍ତୋରାଁରେ ଏକତ୍ରିତ ହୋଇଥିଲେ । ପାର୍ଟି ଚାଲିଥିବାବେଳେ ରେସ୍ତୋରାଁ ବନ୍ଦ କରିବା ମାମଲାକୁ ନେଇ ଝଗଡା ହୋଇଥିଲା । ଏହା ପୁରୁଣା ବ୍ୟବସାୟିକ ମାମଲା ଥିଲା ବୋଲି ସେ କହିଛନ୍ତି । ଝଗଡା ପରେ ସମସ୍ତେ ଘରକୁ ଫେରି ଯାଇଥିଲେ । ପରେ କିଛି ଯୁବକ ରିଙ୍କୁ ଶର୍ମାଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ରିଙ୍କୁଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାମ୍ପ୍ରଦାୟିକ ଝଗଡା ଯୋଗୁଁ ହତ୍ୟା ହୋଇଥିବା ସେ ଖାରଜ କରିଛନ୍ତି ।

ହତ୍ୟା ମାମଲାକୁ ନେଇ ଆମ ଆଦମୀ ପାର୍ଟି ଏକ ବୟାନରେ କହିଛି ଯେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ବିଗିଡି ଯାଇଛି । ଏହିଭଳି ଘଟଣା ଦର୍ଶାଉଛି ଯେ ଗୃହ ମନ୍ତ୍ରାଳୟ ଆଇନ ବ୍ୟବସ୍ଥା ବଜାୟ ରଖିବାରେ ଅସମର୍ଥ । ଏହି ନିର୍ମମ ହତ୍ୟାକୁ ଆମ ଆଦମୀ ପାର୍ଟି ନିନ୍ଦା କରିଛି । ଏହାସହ ତତ୍କାଳ ପଦକ୍ଷେପ ନେବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛି । ରିଙ୍କୁ ଶର୍ମା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ କରୁଥିଲେ । ହତ୍ୟା ମାମଲାକୁ ବିଜେପି ମଧ୍ୟ ନିନ୍ଦା କରିଛି ।

Show More
Back to top button