

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ବହୁ ପ୍ରତୀକ୍ଷିତ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ରୋଡ୍ କେଉଁଠୁ ବାହାରି କେଉଁଠି ଶେଷ ହେବ ତାହା ଚୂଡ଼ାନ୍ତ ହୋଇଛି । ଏନ୍ଏଚ୍ଏଆଇର ସୂଚନା ଅନୁଯାୟୀ, ଏହି ରିଙ୍ଗରୋଡ୍ ଟାଙ୍ଗୀ(ଖୋର୍ଦ୍ଧା)ରୁ ବାହାରି ଟାଙ୍ଗୀ (କଟକ)ରେ ଶେଷ ହେବ । ପ୍ରାୟ ୧୦୦କମିର ଏହି ରିଙ୍ଗ୍ରୋଡ୍ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇ ସାରିଛି । ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ । ଦୁଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସହ ଗୁରୁବାର ସବିଶେଷ ଆଲୋଚନା ହେବ । ପୂର୍ବରୁ ବାରମ୍ବାର ଏହି ରିଙ୍ଗରୋଡ୍ର ନକ୍ସା ବଦଳିବାରୁ ଏ ନେଇ ଟେଣ୍ଡର ହୋଇପାରିନଥିଲା । ଏପରିକି କେତେ ଜମି ଅଧିଗ୍ରହଣ ହେବ ତାହା ଚୂଡ଼ାନ୍ତ ହୋଇପାରି ନ ଥିଲା । କିନ୍ତୁ ଏବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ମିଳି ସାରିଥିବାରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ବସିବ । ଏଥିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ, ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା), ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ ) ଯୋଗଦେବେ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର-କଟକ ସହର ଦେଇ ଯାଇଥିବା ଜାତୀୟ ରାଜପଥ-୧୬ର ଭିଡ଼ କମାଇବା ପାଇଁ ୨୦୧୫ରେ ଏହି ରିଙ୍ଗ୍ରୋଡ୍ର ଯୋଜନା ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମିଶି ଏହି ରିଙ୍ଗ୍ରୋଡ୍ର ନକ୍ସା ପ୍ରସ୍ତୁତ କରିଥିଲେ । ଏଥିରେ ପିତାପଲ୍ଲୀ ଛକରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ବାଇପାସ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୪ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହୋଇଥାନ୍ତା ଏବଂ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସହର ପାଖ ପାଳତୋଟାପଡ଼ାରୁ ଚୌଦ୍ୱାର ନିକଟସ୍ଥ ବଉଳା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥାନ୍ତା । ଏହି ରାସ୍ତା କୁଣ୍ଡିଲୋ, ମୁକ୍ତାପୁର, ଅଂଶୁପା, ରାଧାମୋହନପୁର ଦେଇ ବଉଳା ନିକଟରେ ଏନ୍ଏଚ୍ ୫୫ରେ ମିଶିଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ରାସ୍ତା ବାହାରି ଏନଏଚ୍ ୧୬ରେ ଟାଙ୍ଗୀ ନିକଟସ୍ଥ ବନ୍ଦାଲୋରେ ମିଶିଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟ ରାସ୍ତାର ଲମ୍ବ ୨୧ କିମି ରହିଥାନ୍ତା । କିନ୍ତୁ ଏହା ଚୂଡ଼ାନ୍ତ ହୋଇପାରିଲାନି । ଏନ୍ଏଚ୍ଏଆଇ ଏହି ରାସ୍ତାର ନକ୍ସାକୁ ଅନୁମୋଦନ କଲାନି । ୪ଥାକିଆ ବଦଳରେ ୬ଥାକିଆ ରାସ୍ତା କରିବାକୁ ପ୍ରସ୍ତାବ ଦେଲା ଏବଂ ରାସ୍ତାର ଲମ୍ବ ବଢ଼ାଇଲା । ଏବେ ଏହାକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟରୁ ବାହାର କରାଯିବ ଏବଂ କଟକ ଜିଲ୍ଲାର ଟାଙ୍ଗୀ ନିକଟରେ ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରଥମରୁ ଏହି ରାସ୍ତା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ନକ୍ସା ପ୍ରସ୍ତୁତ କରିଥିବାରୁ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ଏନ୍ଏଚ୍ଏଆଇ ଚୂଡ଼ାନ୍ତ ନକ୍ସା ନେଇ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବାକୁ ଯାଉଛି ।