ଦେଶନ୍ୟୁଜ୍ବାଣିଜ୍ୟ

ପିଏସ୍‌ୟୁ ସଂଖ୍ୟା ୩୦୦ରୁ ୨୪କୁ ଖସିବ

ସତ୍ୟଶିଖା (ନୂଆଦିଲ୍ଲୀ) ୦୯/୦୨/୨୦୨୧ : କୌଣସି କ୍ଷେତ୍ରରେ ଏକାଧିକ ସରକାରୀ ସଂସ୍ଥା ରହିବ ନାହିଁ । କେବଳ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଛି ହାତଗଣତି ସଂସ୍ଥା ରହିବ । ଏବେ ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି । ସେଗୁଡ଼ିକ ସଂଖ୍ୟା ଦୁଇ ଡଜନ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ବିଚାର କରାଯାଉଛି । ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକର ଘରୋଇକରଣ କରାଯିବ । କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରାଯିବ ।

କେଉଁ କ୍ଷେତ୍ରରେ କେତୋଟି ସଂସ୍ଥା ରହିବ, କେତୋଟି ସଂସ୍ଥା ବିକ୍ରି ହେବ ଏବଂ ବନ୍ଦ କରାଯିବ ତାହାର ତାଲିକା ପ୍ରସ୍ତୁତ କରିବା କାର୍ଯ୍ୟ ନିତି ଆୟୋଗକୁ ଦିଆଯାଇଛି । ନିତି ଆୟୋଗ ସୁପାରିସ କରିବା ପ‌ରେ କ୍ୟାବିନେଟ୍ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରି ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିଛନ୍ତି । ସେହି କ୍ଷେତ୍ରଗୁଡ଼ିକ ହେଉଛି ଆଣବିକ ଶକ୍ତି, ମହାକାଶ, ପ୍ରତିରକ୍ଷା, ପରିବହନ, ଟେଲିଯୋଗାଯୋଗ, ବିଦ୍ୟୁତ ଶକ୍ତି, ପେଟ୍ରୋଲିୟମ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ, ବ୍ୟାଙ୍କ, ବୀମା ଓ ଆର୍ଥିକ ସେବା । ଏହି କ୍ଷେତ୍ରଗୁଡ଼ିକରେ ଅତି ବେଶିରେ ତିନି କିମ୍ବା ଚାରିଟି ସରକାରୀ ସଂସ୍ଥା ରହିବ । ଅନ୍ୟ ସବୁ କ୍ଷେତ୍ରରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସରକାର ବାହାରିଯିବେ । ଫଳରେ ସରକାରୀ ସଂସ୍ଥା ସଂଖ୍ୟା ଦୁଇ ଡଜନ ପାଖାପାଖି ହ୍ରାସ ପାଇବ । ବ୍ୟାଙ୍କ ଓ ବୀମା କଂପାନିରୁ ମଧ୍ୟ ସରକାର ନିଜର ଅଂଶଧନ ହ୍ରାସ କରିବେ । ଘରୋଇକରଣ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଇଏମ୍‌ଏଲ୍‌, ଗାର୍ଡେନ ରିଚ୍ ସିପ୍ ବିଲଡର୍ସ ଓ ମିଶ୍ର ଧାତୁ ଭଳି ସଂସ୍ଥା ଚିହ୍ନଟ କରାଯାଇଥିବା ବିଷୟରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ସୂଚନା ଦେଇଛନ୍ତି । ବିଇଏମ୍‌ଏଲ୍‌ରେ ଥିବା ୨୬% ସରକାରୀ ଅଂଶଧନ ବିକ୍ରି କରାଯିବ ଓ କଂପାନିର ପରିଚାଳନା ନିୟନ୍ତ୍ରଣ ମଧ୍ୟ ନୂଆ ଗ୍ରାହକଙ୍କୁ ପ୍ରଦାନ କରାଯିବ । ଗାର୍ଡେନ୍ ରିଚ୍ ସିପ୍ ବିଲଡର୍ସରେ ସରକାରଙ୍କ ୭୪.୫% ଓ ମିଶ୍ର ଧାତୁ ନିଗମରେ ୭୪% ଅଂଶଧନ ରହିଛି ।

Show More
Back to top button