୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ


ସତ୍ୟଶିଖା ୦୯/୦୨/୨୦୨୧ : ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି । ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଦେଶର ବିଭିନ୍ନ ନିର୍ଦ୍ଧାରିତ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୨୭ ହଜାର ୭୪୪ଟି ସେସନରେ ଏହି ଟିକାକରଣ କରାଯାଇଛି । ଗତକାଲି ଗୋଟିଏ ଦିନରେ ୨ ଲକ୍ଷ ୨୩ ହଜାର ୨୯୮ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି । ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୮ ହଜାର ୨୫୭ଟି ସେସନରେ ଏହି ଟୀକାକରଣ କରାଯାଇଛି ।
ଉତ୍ତରପ୍ରଦେଶରେ ସର୍ବାଧିକ ୬ ଲକ୍ଷ ୭୩ ହଜାର ୫୬୨ଜଣଙ୍କୁ ଟିକାକରଣ କରାଯାଇଥିବାବେଳେ ମହାରାଷ୍ଟ୍ରରେ ୪ ଲକ୍ଷ ୯୭ ହଜାର ୯୫, ରାଜସ୍ଥାନରେ ୪ ଲକ୍ଷ ୬୨ ହଜାର ୯୬୨, କର୍ଣ୍ଣାଟକରେ ୪ ଲକ୍ଷ ୧୧ ହଜାର ୮୬୧ ଏବଂ ଗୁଜରାଟରେ ୪ ଲକ୍ଷ ୭୦ ହଜାର ୩୮୪ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୋଭିଡ ବିରୁଦ୍ଧରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚମାନର ରହିଛି । ସେ କହିଛନ୍ତି, ଦିନକୁ ଦିନ ନୂଆ ସଂକ୍ରମଣ ହ୍ରାସ ପାଉଥିବାବେଳେ ଦେଶରେ ବିକଶିତ ଦୁଇଟି ଟିକା କରୋନା ମହାମାରୀ ରୋକିବା ଦିଗରେ ସଫଳତା ହାସଲ କରିଛି । ସେ କହିଛନ୍ତି, ଟିକାକୁ ନେଇ ଯେଉଁ ସନ୍ଦେହ ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ଅମୂଳକ । ସେ କହିଛନ୍ତି, ୧୦ଟି ରାଜ୍ୟରେ ଏପର୍ଯ୍ୟନ୍ତ ୭୫ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣ କରାଯାଇସାରିଲାଣି ।