

ସତ୍ୟଶିଖା (ଭୁବନେଶ୍ୱର) ୨୯/୦୧/୨୦୧୧ : ବିଏମସିର ବହୁ ପ୍ରତୀକ୍ଷିତ ଯୋଜନା ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍) ବ୍ୟବସ୍ଥା ଆସନ୍ତା ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବ । କରୋନା ଯୋଗୁଁ ବିଳମ୍ବିତ ହୋଇଥିବା ଏହି କାମ ଏବେ ପାଇଲଟ୍ ପ୍ରକଳ୍ପ ଭାବେ ତିନିଟି ଜୋନର ତିନିଟି ୱାର୍ଡରେ ଆରମ୍ଭ ହେବ ।
ବିଏମସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରତି ଘର ପାଇଁ ଏକ ଡିଜିଟାଲ ନମ୍ବର ଦିଆଯିବ । ଘର ସମ୍ମୁଖରେ ଏହି ନମ୍ବର ଲେଖାଯିବ । ଜୁନ୍ ମାସରେ ଏନେଇ ବିଏମସି ଓ ନବଯୁଗ ସ୍ପାସିଆଲ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ ଏବଂ ଜିପର୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲେ ହେଁ କରୋନା ପାଇଁ ସର୍ଭେ କାମ ଆରମ୍ଭ ହୋଇପାରିନଥିଲା । ଏବେ ଏହା ଦକ୍ଷିଣ ପଶ୍ଚିମ ଜୋନର ୱାର୍ଡ ୨୩ (କଳିଙ୍ଗ ନଗର ଅଞ୍ଚଳ), ଦକ୍ଷିଣ-ପୂର୍ବ ଜୋନର ୱାର୍ଡ ୩୦ (ସହିଦ ନଗର) ଏବଂ ଉତ୍ତର ଜୋନରେ ୱାର୍ଡ ୬ (ଶୈଳଶ୍ରୀ ବିହାର)ରେ ଆରମ୍ଭ ହେବ । ୧୧ରୁ ୧୨ ଦିନରେ ଏହି ସର୍ଭେ ଶେଷ ହେବ ।
୬୭ଟି ଯାକ ୱାର୍ଡରେ ଡିଜିଟାଲ ଡୋର୍ ନମ୍ବରିଂ ହେବ । ଏଥିପାଇଁ ୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏନେଇ ବିଏମସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେଲେ ଆମେ ଡିଜିଟାଲ ଡୋର୍ ନମ୍ବରିଂ କିପରି ସଫଳ ହେବ ଜାଣିପାରିବୁ । ଏହି ନମ୍ବରରେ ଘରର ସଂପୂର୍ଣ୍ଣ ତଥ୍ୟ, ଠିକଣା, ହୋଲଡିଂ ଟିକସ ଠାରୁ ଆରମ୍ଭ କରି ସବୁ ପ୍ରକାରର ତଥ୍ୟ ମିଳିବ । କେବଳ ଗୋଟିଏ କ୍ଲିକ୍ରେ ସବୁ ରେକର୍ଡ ମିଳିଯିବ । ଏହାଦ୍ୱାରା ରାଜସ୍ୱ ଆଦାୟ ବଢ଼ିବ, ଲୋକଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ସହଜରେ ମିଳିବ ।