ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ପ୍ରଦୂଷଣକାରୀ ଗାଡ଼ିରେ ଲାଗିବ ସବୁଜ ଟିକସ

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିଗୁଡ଼ିକ ଉପରେ କେନ୍ଦ୍ର ସରକାର ସବୁଜ ଟିକସ ଲଗାଇବେ । ଖୁବ୍‌ଶୀଘ୍ର ପୁରୁଣା ଗାଡ଼ିଗୁଡ଼ିକ ଠାରୁ ଏହି ଟିକସ ଆଦାୟ କରାଯିବ । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଞ୍ଜୁରି ପ୍ରଦାନ କରିଛନ୍ତି । ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ।ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ । ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଅସୁଲ କରାଯିବ । ସିଟି ବସ୍‌ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ । ଅତ୍ୟଧିକ ପ୍ରଦୂଷଣ ହେଉଥିବା ସହରରେ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ୫୦% ଭଳି ଉଚ୍ଚ ହାରରେ ଟିକସ ଆଦାୟ କରାଯିବ । ଗାଡ଼ି ଓ ‌ସେଥିରେ ବ୍ୟବହାର ହେଉଥିବା ଇନ୍ଧନ ଅନୁସାରେ ଟିକସ କେତେ ରହିବ ତାହା ଧାର୍ଯ୍ୟ କରାଯିବ । ତେବେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ହାର୍ଭେଷ୍ଟର ଓ ଟିଲର୍‌ଗୁଡ଼ିକରେ ଏହି ଟିକସ ଲାଗୁ ହେବ ନାହିଁ ।ଇଲେକ୍ଟ୍ରିକ୍ ଯାନ, ସିଏନ୍‌ଜିରେ ଚାଲୁଥିବା ଗାଡ଼ି, ହାଇବ୍ରିଡ୍‌ ଗାଡ଼ିଗୁଡ଼ିକ ଉପରେ ମଧ୍ୟ ଏହି ଟିକସ ଲାଗୁ ହେବ ନାହିଁ । ସବୁଜ ‌ଟିକସ ବାବଦରେ ଯେଉଁ ଅର୍ଥ ଆଦାୟ କରାଯିବ ତାହାକୁ ଏକ ସ୍ଵତନ୍ତ୍ର ଖାତାରେ ରଖାଯିବ । ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତାହା ବ୍ୟବହୃତହେବ । ସରକାରୀ ବିଭାଗ ଓ ପିଏସ୍‌ୟୁ ସଂସ୍ଥାଗୁଡ଼ିକରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ବାତିଲ କରିବା ଏବଂ ସ୍କ୍ରାପ୍‌ରେ ପରିଣତ କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଶ୍ରୀଯୁକ୍ତ ଗଡ଼କରୀ ମଞ୍ଜୁରି ଦେଇଛନ୍ତି । ଏହି ନିଷ୍ପତ୍ତି ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବ ।

Show More
Back to top button