ନ୍ୟୁଜ୍ରାଜ୍ୟ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁଣି ନଂ ୧

ସତ୍ୟଶିଖା ୨୫/୦୧/୨୦୨୧ : ଦେଶର ଲୋକପ୍ରିୟ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଶୀର୍ଷରେ ରହିଛନ୍ତି । ନିକଟରେ ଏବିପି ଓ ସି ଭୋଟର୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ଏବେ ଦେଶର ପ୍ରତିଷ୍ଠିତ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଏବଂ କାର୍ଭି ଇନ୍‌ସାଇଟ୍ ପକ୍ଷରୁ ପ୍ରସ୍ତୁତ ଜାନୁଆରୀ ୨୦୨୧ ମୁଡ୍‌ ଅଫ୍ ଦି ନେସନ୍‌ ପୋଲ୍‌ରେ ନବୀନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ରାଜ୍ୟସ୍ତରରେ ନବୀନ ସବୁଠୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୁନାମ ଅର୍ଜନ କରିଛନ୍ତି । ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ପ୍ରଦର୍ଶନକୁ ମାପିବା ପାଇଁ ରାଜ୍ୟବାସୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସର୍ଭେରେ ନବୀନଙ୍କୁ ଓଡ଼ିଶାର ସର୍ବାଧିକ ୫୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ନବୀନଙ୍କ ପଛକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ‌ତାଙ୍କ ସପକ୍ଷରେ ଦିଲ୍ଲୀର ୪୧ ପ୍ରତିଶତ ଲୋକ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି । କେଜ୍ରିୱାଲଙ୍କ ପଛକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି । ସର୍ଭେରେ ଭାଗ ନେଇଥିବା ଉତ୍ତର ପ୍ରଦେଶର ୩୯ ପ୍ରତିଶତ ବ୍ୟକ୍ତି ଯୋଗୀଙ୍କୁ ପସନ୍ଦ କରିଛନ୍ତି। ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚତୁର୍ଥ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପଞ୍ଚମ ସ୍ଥାନରେ ରଖାଯାଇଛି ।ନବୀନଙ୍କୁ ଏହି ମାଗାଜିନ ପକ୍ଷରୁ ନିରବ ସାଧକ ଭାବେ ଉଲ୍ଲେଖ କରାଯାଇଛି । ଜାତୀୟ ସ୍ତରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ରାଜ୍ୟସ୍ତରରେ ନବୀନ ଏବେ ବି ଆଗରେ ଅଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଉଭୟ ହଠାତ୍ ରାଜନୀତିକୁ ପ୍ରବେଶ କରିଥିଲେ । ଉଭୟ ନେତା ଜୀବନଶୈଳୀ ଅତ୍ୟନ୍ତ ସରଳ । ତେବେ ଯୋଗୀ ଜାତୀୟ ପ୍ରସଙ୍ଗରେ ଅଧିକ ମତ ରଖୁଥିବା ବେଳେ ନବୀନ ଜାତୀୟ ଦୃଶ୍ୟପଟରୁ ଦୂରେଇ ରହିଛନ୍ତି । ସେ ରାଜ୍ୟର ପ୍ରସଙ୍ଗ ଉପରେ ଧ୍ୟାନ ରଖିଛନ୍ତି । ଏଥିସହିତ ଉଭୟ କଂଗ୍ରେସ ଓ ବିଜେପିକୁ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରେଇ ରଖିବାରେ ତାଙ୍କ ଦଳ ବିଜେଡି ସଫଳ ହୋଇଛି ।

ନିକଟରେ ବିଜେପିର ହିନ୍ଦୁତ୍ବ ରାଜନୀତିକୁ ନବୀନ କଠୋର ଭାଷାରେ ସମାଲୋଚନା କରିବା ସହିତ ଓଡ଼ିଆତ୍ବର ପରିଚୟ‌ ନେଇ ଏକ ଭାବବିହ୍ବଳ ଭାଷଣ ମଧ୍ୟ ଦେଇଛନ୍ତି । ତେବେ ପ୍ରଶାସନିକ କାର୍ଯ୍ୟ ସଂପାଦନ ପାଇଁ ସେ କେନ୍ଦ୍ର ସହିତ ମୁହାଁମୁହିଁ ହେବା ସ୍ଥିତି ସୃଷ୍ଟି କରିବା ପରିବର୍ତ୍ତେ କାମ ଆଦାୟ କରିବା ବା ଫଳାଫଳ ଭିତ୍ତିକ ଆଭିମୁଖ୍ୟ ପୋଷଣ କରିଛନ୍ତି । ନବୀନଙ୍କ ଏହି ରଣନୀତି ମଧ୍ୟ ସଫଳତା ହାସଲ କରିଛି । କ୍ରମାଗତ ୫ ଥର ଜିତିବାରେ ନବୀନ ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି ।

Show More
Back to top button