
ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଆଜି ରାଜଧାନୀରେ ରାଜ୍ୟସ୍ତରୀୟ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଥିମ୍ ରହିଥିଲା ‘ପେଡାଲ ଫର୍ ରୋଡ୍ ସେଫ୍ଟି’ । ଏହି ପରିପ୍ରେକ୍ଷୀରେ ସକାଳୁ ରାଜଧାନୀରେ ସାଇକ୍ଲିଷ୍ଟମାନେ ସଚେତନତାର ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲେ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସଚେତନତା ଅଭାବ ଓ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ନିରୀହ ଲୋକଙ୍କ ଜୀବନ ଯାଉଛି । ଏହାକୁ ରୋକିବା ପାଇଁ ଆଜିର ଦିନରେ ଆମେ ସଂକଳ୍ପ ନେବା ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଆଇପିଏସ୍ ଅଫିସର୍ ତଥା ଓଏସ୍ଆରଟିସିର ସିଏମ୍ଡି ଅରୁଣ ବୋଥ୍ରା, ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ୍ ପିନ୍ଧିବା ଓ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।ପରିବହନ କମିସନର ତଥା ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ପରେ ସାଇକ୍ଲିଷ୍ଟମାନେ ରାଜମହଲ ଛକଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଛକମାନ ପରିକ୍ରମା କରି ଓଏସ୍ଆରଟିସି ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବିଭିନ୍ନ ଛକରେ ସାଇକ୍ଲିଷ୍ଟଙ୍କର ଷ୍ଟଣ୍ଟ ବେଶ୍ ଆକର୍ଷଣୀୟ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଆରଟିଓ-୨ ବି.ଏନ୍. ଅଧିକାରୀ, ଡେପୁଟି କମିସନର ସଞ୍ଜୟ କୁମାର ବିଶ୍ୱାଳ, ଟ୍ରାଫିକ ପୁଲିସ୍ ଅଧିକାରୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ ସାଇକ୍ଲିଷ୍ଟ ଭାଗ ନେଇଥିଲେ । ସାଇକ୍ଲିଷ୍ଟମାନେ ଗୋଟିଏ ରଙ୍ଗର ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ସହର ପରିକ୍ରମା କରିଥିଲେ ।