
ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୦୧/୨୦୨୧ : ପେଟ୍ରୋଲ ଏବଂ ଡିଜେଲ ଦାମ ପୁଣି ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ସହର ମୁମ୍ୱାଇରେ ତେଲ ଦାମ୍ ଆକାଶ ଛୁଆଁ ରହିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ୍ ୭୫ଟଙ୍କାରୁ ଅଧିକ ରହିଛି ଏବଂ ମୁମ୍ୱାଇରେ ପେଟ୍ରୋଲ୍ ପାଖାପାଖି ୯୨ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍ ୮୨ ଟଙ୍କା ଉପରେ ରହିଛି । ଗତ ସୋମବାର ଡିଜେଲ ଏବଂ ପଟ୍ରୋଲ ଦାମରେ ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲେ ସୁଦ୍ଧା ତୈଳ କମ୍ପାନୀମାନେ ତେଲ ଦର ବୃଦ୍ଧି କରିଥିଲେ । ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଥିଲା ।
ସେହିଭଳି ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫.୯୩ ଏବଂ ଡିଜେଲ ଦାମ ୮୨.୧୯ ଟଙ୍କା ପ୍ରତି ଲିଟର ରହିଛି । ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୮୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୮୭ ଏବଂ ଡିଜେଲ ଦାମ ୭୯.୨୩ ଟଙ୍କା ପ୍ରତି ଲିଟର ରହିଛି ।ତେଲ ଦର ଅହେତୁକ ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଅଶୋଧିତ ତୈଳର ପ୍ରାୟ ୮୦ ପ୍ରତିଶତ ବାହାର ଦେଶରୁ ଭାରତ ଆମଦାନୀ କରୁଥିବା କହିଥିଲେ । କରୋନା ମହାମାରୀ କାରଣରୁ ଅନେକ ଦେଶରେ ତେଲ ଉତ୍ପାଦନ କମିଛି ଏବଂ ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି । ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଥିବା ସେ କହିଥିଲେ । ତେଣୁ ତୈଳ ବଜାରରେ ଦାମ୍ ବୃଦ୍ଧି ହେଉଛି ।