ମୋତି ସହ ଜଡିତ ବିଶେଷ ମହତ୍ତ୍ୱ

ସତ୍ୟଶିଖା ୧୬/୦୧/୨୦୨୧ : ମୋତି ଏକ କଠୋର ପଦାର୍ଥ, ଏହା କୋମଳ ଜୀବଙ୍କ ଠାରୁ ମିଳିଥାଏ । ସେହି ମୋତିକୁ ଅସଲି ମୋତି କୁହାଯାଏ, ଯାହା ଚିକ୍କଣ ଓ ଗୋଲ । ଏତଦ ବ୍ୟତୀତ ମୋତୀ ଅନ୍ୟ ଆକାରର ମଧ୍ୟ ରହିଛି । ଏହାକୁ ରତ୍ନ ରୂପରେ ଓ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ । ମୋତିକୁ ମୁଖ୍ୟତଃ ଚନ୍ଦ୍ରମାଙ୍କର ରତ୍ନ ବୋଲି କୁହାଯାଏ । ସୌନ୍ଦର୍ୟ୍ୟ ବୃଦ୍ଧି କରିବା ପାଇଁ ହେଉ କିମ୍ବା ଜୀବନରେ ଥିବା ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ହେଉ ମହିଳାମାନେ ମୋତିରେ ନିର୍ମିତ ବିଭିନ୍ନ ଆଭୂଷଣକୁ ବ୍ୟବହାର କରିଥାଆନ୍ତି । ମାତ୍ର ଏହି ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ଯାହା ହୁଏତ ସଭିଏଁ ଜାଣିନଥିବେ । ଏହାକୁ ସଠିକ ଭାବେ ଓ ସଠିକ ଅଙ୍ଗରେ ଧାରଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ ଓ ଆପଣଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ ।
ମାତ୍ର ବର୍ତ୍ତମାନ ସମୟରେ ବଜାରରେ ନକଲି ଓ ରଙ୍ଗବେରଙ୍ଗର ମୋତି ମଧ୍ୟ ମିଳୁଛି । ଅସଲି ମୋତି ଧାରଣ କରିବା ଦ୍ୱାରା ଆମକୁ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେଣୁ ମୋତି ଅସଲି କି ନକଲି ଏହାର ଚିହ୍ନଟ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଅସଲି ମୋତିକୁ ଚିହ୍ନିବେ କିପରି
ଦାନ୍ତରେ କାମୁଡ଼ିବା ଦ୍ୱାରା ଅସଲି ମୋତି ଭାଙ୍ଗି ଯାଏ ।
ମୋତିକୁ କପଡ଼ା ବ୍ୟବହାର କରି ଅଧିକ ସମୟ ପୋଛିଲେ ଏହାର ଚମକ ବୃଦ୍ଧି ପାଇଥାଏ। ନଖରେ ରାମ୍ପିଲେ ମଧ୍ୟ ଏହାର ରଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିନଥାଏ । ଯେଉଁ ମୋତିର ଚମକ ନଥାଏ, ତାହାକୁ ଧାରଣ କରିବା ଉଚିତ ନୁହେଁ । ଏହା ସାମାନ୍ୟ ଭାଙ୍ଗି ଥିଲେ ମଧ୍ୟ ଏହାକୁ ଧାରଣ କରିବା ଉଚିତ ନୁହେଁ। କାରଣ ଜୀବନରେ କୁପ୍ରଭାବ ପଡ଼ିବା ସହ ସମସ୍ୟା ଲାଗି ରହେ । ମୋତି ଉପରେ ଅନ୍ୟ ରଙ୍ଗର ଆସ୍ତରଣ ସୃଷ୍ଟି ହେବା ଭଳି ଦେଖାଗଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଅସଲ ମୋତି ଧାରଣ ନକଲେ କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ମୋତି ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ
ଯଦି ଆପଣ ଠିକ ସମୟରେ ସଠିକ ନିଷ୍ପତ୍ତି ନେଇପାରୁନାହାନ୍ତି ତେବେ ଆପଣ ନିଜ ହସ୍ତର ମୋତି ଧାରଣ କରିବା ଉଚିତ ।
ମୋତି ଧାରଣ ପରେ ସୋମବାର ଦିନ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଖୁବ ଶଭୁଫଳ ପ୍ରାପ୍ତି ହୋଇଥାଏ । ପରିଶ୍ରମ କରିବା ପରେ ମଧ୍ୟ ସଠିକ ଫଳ ନମିଳିଲେ ଓ ଆଶାନୁଯାୟୀ ଧନ ସଞ୍ଚୟ ହୋଇପାରୁନଥିଲେ, ଆପଣ ପୂଜାସ୍ଥାନରେ ଦୁଇଟି ମୋତିକୁ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ଆପଣ ନିଜ ପତ୍ନୀଙ୍କୁ ବାମ ହସ୍ତରେ ମୋତି ଧାରଣ କରିବାକୁ ଦିଅନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ତା’କୁ ଚାନ୍ଦିର ନିର୍ମିତ ଚନ୍ଦ୍ର ସହ ମୋତି ପିନ୍ଧାନ୍ତୁ । ଏହି ସମସ୍ୟା ଦୂର ହେବ ।






