
ସତ୍ୟଶିଖା ୧୫/୦୧/୨୦୨୧ : କାଶ୍ମୀରରେ ରେକର୍ଡ ଶୀତ ଅନୁଭୂତ ହେଉଛି । ଶ୍ରୀନଗରରେ ଏହା ଗତ ୩୦ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ଗୁରୁବାର ସକାଳର ତାପମାତ୍ରା ବିଯୁକ୍ତ ୮.୪ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଛି । ବୁଧବାର ରାତିରେ ପ୍ରସିଦ୍ଧ ଡାଲ୍ ହ୍ରଦ ବରଫ ପାଲଟି ଯାଇଥିବା ଲକ୍ଷ୍ୟ କରାଯାଇଛି । ୧୯୯୧ ପରଠାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇ ନ ଥିବା କୁହାଯାଉଛି । ସେହି ବର୍ଷ ତାପମାତ୍ରା ଥିଲା ବିଯୁକ୍ତ ୧୧.୮ ସେଲ୍ସିୟସ୍ । ଏତଦ୍ବ୍ୟତୀତ ୧୯୯୫ର ଏହି ସମୟରେ ଏହା ବିଯୁକ୍ତ ୧୧.୩ ସେଲ୍ସିୟସ ଥିଲା । ଏହା ପୂର୍ବରୁ ୧୮୯୩ରେ ରେକର୍ଡ ସର୍ବନିମ୍ନ ତାପମାତ୍ରା ଥିଲା ୧୪.୪ ସେଲ୍ସିୟସ୍ ।ଅପରପକ୍ଷରେ ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇପଡ଼ିଛି । ଗୁରୁବାର ସକାଳେ ଏଠାକାର ତାପମାତ୍ରା ମାତ୍ର ୨ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଛି; ଯାହାକି ଚଳିତ ଶୀତ ଋତୁରେ ସର୍ବନିମ୍ନ ଅପେକ୍ଷା ସାମାନ୍ୟ ଅଧିକ । ନୂଆ ବର୍ଷ ଜାନୁଆରୀ ୧ରେ ଏହା ୧.୧ ଡିଗ୍ରି ଥିଲା । ଏଥିଯୋଗୁଁ ରାଜଧାନୀ ଘନ କୁହୁଡ଼ିର ଆସ୍ତରଣ ତଳେ ରହିଥିବା ଦେଖାଯାଇଥିଲା । ସଫଦରଜଙ୍ଗ ଅଞ୍ଚଳରେ ସବାଧିକ ଥଣ୍ଡା ଅନୁଭୂତ ହୋଇଥିଲା । ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ପ୍ରବଳ ଶୀତ ସହିତ ଘନ କୁହୁଡି ଲାଗିଛି । ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ୍ ୱେରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମ୍ ରହିବାରୁ ଏହି ଦୁର୍ଘଟଣା ହୋଇଥିବା ପୁଲିସ କହିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି ।