
ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୧/୨୦୨୧ : ମାର୍କ ଜୁକରବର୍ଗଙ୍କ ଫେସବୁକ୍ ମାଲିକାନାରେ ଥିବା ୱାଟସ୍ଆପ୍ ଯେଉଁ ନୂଆ ଗୋପନୀୟତା ନୀତି ଜାରି କରିଛି ତାହା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଫେସ୍ବୁକ୍ ସହ ତଥ୍ୟ ବାଣ୍ଟିବା ଲାଗି ୱାଟସ୍ଆପ୍ ଗ୍ରାହକଙ୍କ ଅନୁମତି ଲୋଡ଼ିଛି । ଯେଉଁମାନେ ଏହି ସର୍ତ୍ତରେ ରାଜି ନହେବେ ସେମାନେ ଫେବ୍ରୁଆରି ୮ ପରଠାରୁ ୱାଟସ୍ଆପ୍ ବ୍ୟବହାର କରିପାରିବେ ନାହିଁ । ଏହି ନୀତି ଫେସବୁକ୍ ସହିତ ତଥ୍ୟ ବାଣ୍ଟିବାକୁ ୱାଟସ୍ଆପ୍ ବ୍ୟବହାରକାରୀମାନଙ୍କୁ ବାଧ୍ୟ କରୁଥିବା କୁହାଯାଇଛି । ୱାଟସ୍ଆପ୍ ଏହାର ନୂଆ ଗୋପନୀୟତା ନୀତି ଜାରି କରିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଏହା ବିତର୍କର ବିଷୟ ହୋଇଛି ।
ବିଶ୍ୱସ୍ତରୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ମଧ୍ୟ ୱାଟସ୍ଆପ୍ ଛାଡ଼ି ସିଗ୍ନାଲ୍ ନାମକ ଏକ ଆପ୍ ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଭାରତର ଉଦ୍ୟୋଗ ଜଗତ ମଧ୍ୟ ବେଶ ଚିନ୍ତିତ ହୋଇପଡ଼ିଛି । ୱାଟସ୍ଆପ୍ ଜରିଆରେ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନ କରୁଥିଲେ । ଏବେ ସେମାନେ ଏହାର ବିକଳ୍ପ ସନ୍ଧାନ କରୁଛନ୍ତି । ବିଭିନ୍ନ ବର୍ଗ ୱାଟସ୍ଆପ୍ର ନୀତିକୁ ନେଇ ଚିନ୍ତା ପ୍ରକଟ କରିବା ପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ନୂଆ ନୀତି ବାସ୍ତବରେ କ’ଣ ତାହା ବୁଝାଇବା ଲାଗି ୱାଟସ୍ଆପ୍ ଅଧିକାରୀଙ୍କୁ ନୋଟିସ୍ ଜାରି କରିବା ଉପରେ ବିଚାର କରାଯାଉଛି । ବିଶିଷ୍ଟ ଶିଳ୍ପପତିମାନଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗ ଆପତ୍ତି ଉଠାଇଥିବାରୁ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି । ଭାରତରେ ୱାଟସ୍ଆପ୍କୁ ୪୦ କୋଟି ଲୋକ ବ୍ୟବହାର କରୁଛନ୍ତି । ଗୋପନୀୟତା ନୀତିରେ ଅଣାଯାଇଥିବା ପରିବର୍ତ୍ତନ ବିଷୟରେ ୱାଟସ୍ଆପ୍ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଆପ୍ରେ ସୂଚନା ଦିଆଯାଇଥିଲା ।ଏହା ପରଠାରୁ ଅନେକ ବ୍ୟବହାରକାରୀ ଟେଲିଗ୍ରାମ୍ ଓ ସିଗ୍ନାଲ ଭଳି ଆପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ପେଟିଏମ୍ର ମୁଖ୍ୟ ବିଜୟ ଶେଖର ଶର୍ମା ଓ ଫୋନ୍ପେର ସିଇଓ ସମୀର ନିଗମ ୱାଟସ୍ଆପ୍ ଛାଡ଼ି ଅନ୍ୟ ଆପ୍ ବ୍ୟବହାର ଆରମ୍ଭ କରିଥିବା କହିଛନ୍ତି । ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ନିଜ ପକ୍ଷକୁ ସ୍ପଷ୍ଟ କରିବା ଲାଗି ୱାଟସ୍ଆପ୍ ପକ୍ଷରୁ ପ୍ରମୁଖ ସମ୍ବାଦପତ୍ରଗୁଡ଼ିକର ମୁଖ୍ୟ ପୃଷ୍ଠାରେ ବିଜ୍ଞାପନ ଦିଆଯାଇଛି । ବ୍ୟବହାରକାରୀମାନଙ୍କ କଣ୍ଟାକ୍ଟ ଲିଷ୍ଟ୍ ଓ ଗ୍ରୁପ୍ ଡାଟା ଫେସବୁକ୍କୁ ଦିଆଯିବ ନାହିଁ ବୋଲି ୱାଟସ୍ଆପ୍ ସ୍ପଷ୍ଟ କରିଛି । ଅତୀତରେ ମିଥ୍ୟା ଖବର ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା ୱାଟସ୍ଆପ୍ । ସେହି ସମସ୍ୟାର ସମାଧାନ କରିବା ଲାଗି କଂପାନି ଅନେକ ପଦକ୍ଷେପ ଗ୍ରହଣ କରିଛି ।