

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : କରୋନା ମହାମାରୀ ଯୋଗୁଁ ବିମାନ ସେବା ବହୁତ ପ୍ରଭାବିତ ହୋଇଛି । ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି । ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ପାଇସଜେଟ୍ ଏକ ସ୍ପେଶାଲ୍ ଅଫର୍ ଆଣିଛି | ସ୍ପାଇସଜେଟ୍ ଯାତ୍ରୀଙ୍କ ପାଇଁ ‘Book Befikar Sale’ ନାମକ ଅଫର ଆଣିଛି । ଏହି ସେଲ୍ ଅନୁସାରେ ଘରୋଇ ଯାତ୍ରା ପାଇଁ ବିମାନ ଭଡା ୮୯୯ ଟଙ୍କାରୁ ଆରମ୍ଭ ହେଉଛି । ଟିକେଟ୍ ବୁକିଂ ଜାନୁଆରୀ ୧୩ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଫର୍ ଜାନୁଆରୀ ୧୭ ତାରିଖ ଯାଏଁ ରହିବ । ସେଲ୍ ଅନୁସାରେ ଟିକେଟ୍ ବୁକିଂ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଯାତ୍ରା କରିପାରିବେ ।
Book Befikar Sale ରେ ଘରୋଇ ବିମାନ ଭଡା ୮୯୯ ଟଙ୍କାରୃ ଆରମ୍ଭ ହେଉଛି । ତାଛଡା କୌଣସି ଚାର୍ଜ ବିନା ଟିକେଟର ଡେଟ୍ ବଦଳାଇବା ଏବଂ କ୍ୟାନସେଲ୍ କରିବା ସୁବିଧା ମଧ୍ୟ ରହିଛି । ଅଧିକରୁ ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବାକୁ କମ୍ପାନୀ ଏହି ଅଫର୍ ସହ ମାଗଣା ଟିକେଟ୍ ଭାଉଚର୍ ମଧ୍ୟ ଦେବାକୁ ଘୋଷଣା କରିଛି । କମ୍ପାନୀ କହିଛି ଫ୍ଲାଇଟ୍ ଭାଉଚର୍ ବୁକ ହୋଇଥିବା ଟିକେଟର ଭଡା ସହ ସମାନ ରହିବ । ଗ୍ରାହକ ଏହି ସେଲ୍ ଅଫରରେ ଟିକେଟ୍ ବୁକିଂ କଲେ ତାଙ୍କୁ ବୁକିଂ ପ୍ରତି ସର୍ବାଧିକ ହଜାରେ ଟଙ୍କାର ଭାଉଚର୍ ମିଳିବ । ଭବିଷ୍ୟତରେ ଟିକେଟ୍ ବୁକିଂ ପାଇଁ ଏହି ଭାଉଚର ବ୍ୟବହାର କରିପାରିବେ ।
ଏହି ଫ୍ଲାଇଟ ଭାଉଚର ଫେବୃଆରୀ ୨୮ ତାରିଖ ଯାଏଁ ଭାଲିଡ୍ ରହିବ । ଏହା କେବଳ ଘରୋଇ ବିମାନ ସେବା ଉପରେ ଲାଗୁ ହେବ । ଏହି ଭାଉଚରକୁ ଅତିକମରେ ୫ ହଜାର ୫୦୦ ଟଙ୍କାର ବୁକିଂ କଲେ ଲାଗୁ କରାଯାଇପାରିବ । ଏହି ଅଫରର ସମ୍ପୂର୍ଣ୍ଣ ବିବରଣୀ କମ୍ପାନୀ ୱେବସାଇଟ୍ www.SpiceJet.com ରେ ଦିଆଯାଇଛି । କମ୍ପାନୀ କହିଛି ଯେ ଏହି ଅଫର୍ କେବଳ ଏକ ତରଫା ଭଡାରେ ଲାଗୁ ହେବ । ଏହି ଅଫରକୁ ଆଉ କୌଣସି ଅଫର୍ ସହ ଯୋଡ଼ା ଯାଇପାରିବ ନାହିଁ । ଏହି ଅଫର୍ କୌଣସି ଗ୍ରୁପ ବୁକିଂରେ ମଧ୍ୟ ଲାଗୁ ହେବନାହିଁ ।