

ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଟେସଲା ମୁଖ୍ୟ ଏଲନ୍ ମସ୍କ ହେଲେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି । ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ଲୁମ୍ ବର୍ଗର ରିପୋର୍ଟ ଅନୁସାରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୮୮.୫ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଡଲାର ଅଧିକ ।
ଗୁରୁବାର ଏଲନ୍ ମସ୍କଙ୍କ ଟେସଲା କମ୍ପାନୀର ସେୟାର ମୂଲ୍ୟ ୫.୬୫ ପ୍ରତିଶତ ବୃଦ୍ଧି ପାଇବା ଫଳରେ ତାଙ୍କୁ ଆମାଜନଠାରୁ ଟପିବା ଲାଗି ସୁଯୋଗ ସୃଷ୍ଟି କରିଥିଲା । ୨୦୧୭ରୁ ସବୁଠାରୁ ବଡ ଧନୀ ବ୍ୟକ୍ତିର ମାନ୍ୟତା ରଖି ଆସିଥିଲେ ଆମାଜନ୍ ଡଟ୍ କମ୍ ର ମୁଖ୍ୟ ଜେଫ୍ ବେଜୋସ୍ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ୪୯ ବର୍ଷ ବୟସ୍କ ଇଞ୍ଜିନିୟର ଏଲନ୍ ମସ୍କ ଏବେ ତାଙ୍କୁ ଟପି ପ୍ରଥମ ସ୍ଥାନକୁ ଆସିଛନ୍ତି । ଘରୋଇ ମହାକାଶ କାର୍ଯ୍ୟକ୍ରମ ପାଇଁ ମସ୍କଙ୍କ ସ୍ପେସ୍ ଏକ୍ସ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି । ନଭେମ୍ବର ମାସରେ ମସ୍କ ମାଇକ୍ରୋସଫ୍ଟର ବିଲ୍ ଗେଟସଙ୍କୁ ଅତିକ୍ରମ କରିଥିଲେ ।