
ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : ନାକେଦମ୍ କଲେଣି ସାଇବର୍ ଠକ । ଏମିତି ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି ଯେ ପୁଲିସ୍ ତ ଛାଡ଼, ସାଇବର୍ ବିଶେଷଜ୍ଞଙ୍କ ମୁଣ୍ଡ ବି ଘୂରି ଯାଉଛି । ଆଜି ପୁରସ୍କାରର ଲୋକ ଦେଖାଇ ସାଇବର୍ ଠକ ରାଜଧାନୀର ଦୁଇଜଣ ଯୁବକଙ୍କୁ ଚୂନ ଲଗାଇଛି । ଉଭୟଙ୍କ ଆକାଉଣ୍ଟରୁ ମୋଟ ୮୯ ହଜାର ଟଙ୍କା ଲୁଟି ନେଇଛି । ଠକେଇର ଶିକାର ଯୁବକଦ୍ବୟ ହେଲେ, ଖାରବେଳନଗର ଥାନା ଅଞ୍ଚଳର ପ୍ରମୋଦ ରଥ ଓ ୟୁନିଟ୍-୫ ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି । ଏନେଇ ଖାରବେଳନଗର ଓ ସାଇବର୍ ଥାନାରେ ଦୁଇଟି ପୃଥକ୍ ଅଭିଯୋଗ ହୋଇଛି ।
ଖାରବେଳନଗର ଥାନାରେ ପ୍ରମୋଦ କରିଥିବା ଅଭିଯୋଗ ଅନୁଯାୟୀ, ସେ ଅନ୍ଲାଇନ୍ ସପିଂ ସାଇଟ୍ ଆମାଜନ୍ରୁ କିଛି ସାମଗ୍ରୀ ମଗାଇଥିଲେ । ତାଙ୍କ ପାଖରେ ଜିନିଷ ପହଞ୍ଚିବାର କିଛି ଦିନ ପରେ ଅର୍ଥାତ୍ ଗତ ମାସ ୨୩ ତାରିଖରେ ତାଙ୍କ ପାଖକୁ ଏକ ଫୋନ୍ ଆସିଲା । ଆମାଜନ୍ରୁ ଜିନିଷ କିଣିଥିବାରୁ ତାଙ୍କୁ କମ୍ପାନି ଏକ ଲକ୍ଷରୁ ଊର୍ଧ୍ବ ଟଙ୍କା ପୁରସ୍କାର ଆକାରରେ ଦିଆଯିବ ଏବଂ ଏଥିପାଇଁ ତାଙ୍କୁ ପଏଣ୍ଟ ରିଡିମ୍ କରିବାକୁ ପଡ଼ିବ ବୋଲି ବ୍ୟକ୍ତିଜଣଙ୍କ କହିଥିଲେ । ପ୍ରମୋଦ କିଛି ଦିନ ତଳେ ଆମାଜନ୍ରୁ ଜିନିଷ କିଣିଥିବାରୁ ଏହାକୁ ଅବିଶ୍ୱାସ କରିପାରିନଥିଲେ । ପୁରସ୍କାର ଗ୍ରହଣ କରିବା ପାଇଁ ସେ ରାଜି ହୋଇଯାଇଥିଲେ । ଠକ ଗୁଗୁଲ୍ ପେ’ ଜରିଆରେ ତାଙ୍କ ମୋବାଇଲ୍କୁ ଏକ ଲିଙ୍କ ପଠାଇ ଏହାକୁ କ୍ଲିକ୍ କରିବା ପାଇଁ କହିଥିଲା । ପ୍ରମୋଦ ଠକର କହିବା ମୁତାବକ, ଲିଙ୍କ ଉପରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଥରରେ ମୋଟ ୩୬ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । ଖାରବେଳ ନଗର ଥାନା ପୁଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଟଙ୍କା ମୁମ୍ବାଇର ବିବିଏସ୍ ବ୍ୟାଙ୍କ୍ରେ ଥିବା ଏକ ସେଭିଙ୍ଗ୍ସ୍ ଆକାଉଣ୍ଟକୁ ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରେ ଜାଣି ପାରିଛି । ଖାତାଧାରୀଙ୍କ ପରିଚୟ ମଧ୍ୟ ପୁଲିସ ପାଇଛି । ପ୍ରମୋଦଙ୍କ ଆକାଉଣ୍ଟ ଥିବା (ଆଇସିଆଇସିଆଇ) ବ୍ୟାଙ୍କ୍କୁ ପୁଲିସ ଚିଠି ଲେଖି ସମ୍ପୃକ୍ତ ଆକାଉଣ୍ଟରେ ଥିବା ଟଙ୍କା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି । ଖୁବ୍ଶୀଘ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖାରବେଳ ନଗର ଥାନା ଇନ୍ସ୍ପେକ୍ଟର ଅରୁଣ ସ୍ଵାଇଁ କହିଛନ୍ତି ।ଅନୁରୂପ ଢଙ୍ଗରେ ୟୁନିଟ୍ ୫ର ରାମଚନ୍ଦ୍ର ପୃଷ୍ଟିଙ୍କ ଆକାଉଣ୍ଟରୁ ମଧ୍ୟ ଜଣେ ସାଇବର ଠକ ଏକାଥରକେ ୫୩ ହଜାର ଟଙ୍କା ଲୁଟି ନେଇଛି । ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ସେ ଗୁଗୁଲ୍ ପେ’ ଜରିଆରେ ଆର୍ଥିକ କାରବାର କରନ୍ତି । ଆଜି ସକାଳେ ତାଙ୍କୁ ଏକ ଫୋନ୍ ଆସିଥିଲା । ନିଜକୁ ଗୁଗୁଲ୍ ପେ’ କଷ୍ଟମର କେୟାର ପରିଚୟ ଦେଇ ଅଜଣା ଯୁବକ ଜଣଙ୍କ ତାଙ୍କ ସହ କଥା ହୋଇଥିଲା । ଗୁଗୁଲ୍ ପେ’ ଜରିଆରେ ଅଧିକାଂଶ କାରବାର କରୁଥିବାରୁ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି ବୋଲି ଠକ କହିଥିଲା । ଯୁବକଜଣକ ଠକ ବୋଲି ରାମଚନ୍ଦ୍ରଙ୍କର ସନ୍ଦେହ ହୋଇଥିଲେ ମଧ୍ୟ ତାଙ୍କ ଫୋନ୍ରେ ଥିବା ଟ୍ରୁ-କଲର୍ ଆପ୍ରେ ନମ୍ବରଟି ଗୁଗୁଲ୍ ପେ’ କଷ୍ଟମର କେୟାର ଦେଖାଇବାରୁ ସେ ଠକର କଥା ବିଶ୍ବାସ କରି ନେଇଥିଲେ । ତେଣୁ ସେ ଠକର କହିବାନୁଯାୟୀ ରିୱାର୍ଡ ରିଡିମ୍ କରିବାକୁ ଏକ ଲିଙ୍କ୍ ଉପରେ କ୍ଲିକ୍ କରିଥିଲେ । ଏହାର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୫୩ ହଜାର କଟି ଯାଇଥିବା ମୋବାଇଲକୁ ମେସେଜ୍ ଆସିଥିଲା । ସେତେବେଳକୁ ଠକ ଫୋନ୍ କାଟି ସାରିଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ସାଇବର ପୁଲିସ ମଧ୍ୟ ଠକର ଆକାଉଣ୍ଟ ସମ୍ବନ୍ଧରେ ଜାଣିବାକୁ ପାଇଛି । ତାହା ମଧ୍ୟ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି ।