ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରବିବାର ସ୍କୁଲ ଖୋଲା ନ ଯାଉ: ଓଷ୍ଟା

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୧/୨୦୨୧ : ଜାନୁଆରି ୮ରୁ ସ୍କୁଲ ଖୋଲିବ। ମେ’ ୩ରୁ ମାଟ୍ରିକ୍‌ ପରୀକ୍ଷା ହେବ । ହେଲେ ସ୍କୁଲରେ ଶିକ୍ଷକଙ୍କ ଅଭାବଜନିତ କାରଣରୁ କିଏ ଶିକ୍ଷାଦାନ କରିବ? କେମିତି ପାଠପଢ଼ା ହେବ? ସ୍କୁଲ ଖୋଲିବା ପୂର୍ବରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଏଭଳି ପ୍ରଶ୍ନ ଉଠାଇଛି । ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ସ୍କୁଲ ଖୋଲିବା ପରେ ଶହେ ଦିନର ଦିନର ପାଠପଢ଼ା ହେବ । ମେ’ ୩ରୁ ମାଟ୍ରିକ୍‌ ଓ ମେ’ ୧୫ରୁ ଯୁକ୍ତ୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କୋଭିଡ୍‌-୧୯ ନିୟମ ଅନୁପାଳନ କରି ସ୍କୁଲ, ହଷ୍ଟେଲ୍ ଆଦି ଖୋଲିବା ପାଇଁ ଏସ୍‌ଓପି ଜାରି ହୋଇଛି । ତେବେ ନିୟମାବଳୀରେ ଯାହା ସବୁ ନିଷ୍ପତ୍ତି ହୋଇଛି, ସେ ସମ୍ପର୍କରେ ତର୍ଜମା ପରେ ଓଷ୍ଟା କିଛି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ପାଇଁ ରଖିବାକୁ ବାଧ୍ୟ ହୋଇଛି ।ଗୋଟିଏ ଶ୍ରେଣୀଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିଦ୍ୟାଳୟରେ ୫୦ରୁ ଅଧିକ କିମ୍ବା ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ତେବେ ୪/୫ଟି ଶ୍ରେଣୀକକ୍ଷରେ ପାଠ ପଢ଼ାଇବା ଆବଶ୍ୟକ ପଡ଼ିବ । ଏଥିପାଇଁ ସରକାରୀ, ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି । ଅନେକ ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନାହାନ୍ତି । କିମ୍ବା ଜଣେ ଶିକ୍ଷକରେ ସ୍କୁଲ ଚାଲିଛି । ସେ କ୍ଷେତ୍ରରେ ୪ଟି ଶ୍ରେଣୀଗୃହରେ ବସାଇ ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା କିପରି ସମ୍ଭବ ହେବ ବୋଲି ଓଷ୍ଟା ପ୍ରଶ୍ନ କରିଛି ।୮ ତାରିଖ ପୂର୍ବରୁ ରାଜ୍ୟ ସରକାର ଶିକ୍ଷକ ପଦ ପୂରଣ କରିବା ଦିଗରେ ପଦକ୍ଷେପ ନିଅନ୍ତୁ । ନହେଲେ ବର୍ତ୍ତମାନ ଶିକ୍ଷାଦାନକୁ ସାମୟିକ ଭାବେ ଚଳନକ୍ଷମ କରିବା ପାଇଁ ସବୁବର୍ଗର ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେଇ ଶହେ ଦିନର ପାଠପଢ଼ାକୁ ତ୍ୱରିତ ଓ ସୁନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଶନିବାର ଓ ରବିବାରରେ ଶିକ୍ଷାଦାନ କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସମ୍ଭବପର ହେବ ନାହିଁ । ହୁଏତ ଶନିବାର ଅଧାଦିନ ପରିବର୍ତ୍ତେ ସମ୍ପୂର୍ଣ୍ଣ ଦିନ ଶିକ୍ଷାଦାନ କରାଯାଇପାରେ । ଆବଶ୍ୟକ ହେଲେ ଶିକ୍ଷକମାନେ ସକାଳେ କିମ୍ବା ଅପରାହ୍‌ଣରେ(୪ଟା ପରେ) କ୍ଲାସ କରି ଅଧିକ ସମୟ ଶିକ୍ଷାଦାନ କରିପାରିବେ । କିନ୍ତୁ ରବିବାର ପାଠପଢ଼ା ହେଲେ କେବଳ ଶିକ୍ଷକ ନୁହଁନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ ବ୍ୟାହତ ହେବ ବୋଲି ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି ।

Show More
Back to top button