

ସତ୍ୟଶିଖା (ଭୁବନେଶ୍ୱର) ୦୪/୦୧/୨୦୨୧ : ମଦ ଦୋକାନ ହେଉ କି ମେଡିସିନ୍ ଦୋକାନ । ଏପରିକି ବ୍ୟସ୍ତବହୁଳ ଏକ ନମ୍ବର ହାଟ; ଭିଡ଼ ଜାଗା ଦେଖି ଟାର୍ଗେଟ୍ କରୁଥିଲେ । ଟିକେ ସୁଯୋଗ ପାଇଲେ, ଆଖି ପିଛୁଳାକେ ସାର୍ଟ ପକେଟ୍ କିମ୍ବା ହାତରୁ ମୋବାଇଲ ଝାମ୍ପି ନେଉଥିଲେ । ଏଭଳି ଢଙ୍ଗରେ ରାଜଧାନୀରେ ମୋବାଇଲ ଫୋନ୍ ଲୁଟୁଥିବା ଝାଡ଼ଖଣ୍ଡର ତିନିଜଣିଆ ଏକ ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ଥାନା ପୁଲିସ୍ ଆଜି କାବୁ କରିଛି । ସେମାନେ ହେଲେ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ତିନିପହର ଅଞ୍ଚଳର ଦୀପକ କୁମାର(୧୯), କାଞ୍ଚନ ନୁନିଆ(୨୬) ଓ ଅଙ୍କିତ କୁମାର ପୌସର(୧୯) । ତେବେ ଏହି ୩ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଦେଖି ପୁଲିସ୍ କାବା ହୋଇଯାଇଛି । ପୁଲିସ୍ ସେମାନଙ୍କଠାରୁ ୧୦୩ଟି ଦାମୀ ମୋବାଇଲ୍ ଜବତ କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିକଟ ଅତୀତରେ ବଜାର ପ୍ରବେଶ କରିଥିବା ଦାମୀ ଆଇଫୋନ୍-୧୨ ପ୍ରୋ ମଧ୍ୟ ସେମାନଙ୍କଠାରୁ ଜବତ ହୋଇଛି । ପୁଲିସ ସୂଚନା ଅନୁସାରେ, ଗତ ୩୧ ତାରିଖରେ କଳ୍ପନା ଛକ ନିକଟ ଏକ ମଦ ଦୋକାନ ପାଖରେ ପ୍ରଭାକର ଗୋଏଙ୍କା ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିଲେ ।
ସେଠାରୁ ତାଙ୍କର ଆଇଫୋନ୍-୧୨ ପ୍ରୋ ଚୋରି ହୋଇଯାଇଥିଲା । ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଘଟଣାର ତଦନ୍ତ କରି ଚିନ୍ତାମଣିଶ୍ୱର ଫିସରି ଲେନ୍ରେ ଭଡ଼ାରେ ରହୁଥିବା ତିନି ଝାଡ଼ଖଣ୍ଡ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦୩ଟି ମୋବାଇଲ ଫୋନ୍ ଜବତ କରିଥିଲା । ତେବେ ଏହି ଗ୍ୟାଙ୍ଗରେ ଆହୁରି ୫ରୁ ଅଧିକ ସଦସ୍ୟ ସମ୍ପୃକ୍ତ ଥିବା ବେଳେ ସେମାନେ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି । ପୂର୍ବରୁ ଆହୁରି ବିପୁଳ ମୋବାଇଲ ଫୋନ୍ କିଣି ବିକ୍ରି କରିଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଭରତ ଚନ୍ଦ୍ର ସାହୁ କହିଛନ୍ତି ।