

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ଜାତୀୟ ରାଜପଥରେ ନୂଆବର୍ଷରୁ ଫାସଟ୍ୟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ ହେବାକୁ ଥିବାବେଳେ ଆଜି ଶେଷ ମୁହୂର୍ତ୍ତରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଢ଼ମାସର ମହଲତ ପ୍ରଦାନ କରାଯାଇଛି । ଅର୍ଥାତ୍ ୨୦୨୧ ଫେବ୍ରୁଆରି ୧୫ ତାରିଖରୁ ଜାତୀୟ ରାଜପଥରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ହେବ । ଗାଡ଼ିରେ ଫାସଟ୍ୟାଗ୍ ଲାଗିଥିଲେ ସେଗୁଡ଼ିକୁ ଆଉ ଟୋଲ ପ୍ଲାଜା ଗୁଡ଼ିକରେ ଶୁଳ୍କ ପ୍ରଦାନ ଲାଗି ଅଟକିବାକୁ ହେବନାହିଁ । ଇଲେକ୍ଟ୍ରୋନିକ୍ ଉପାୟରେ ଏହି ରାଶି ଗାଡ଼ି ମାଲିକଙ୍କ ଆକାଉଣ୍ଟରୁ କଟିବ । ଉଭୟ ଅନଲାଇନ ଓ ଅଫଲାଇନରେ ଫାସଟ୍ୟାଗ ଉପଲବ୍ଧ ହେଉଛି । ବିଭିନ୍ନ ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କର ୱେବସାଇଟ ମାଧ୍ୟମରେ ଏହାକୁ ଆବେଦନ କରାଯାଇ ପାରୁଛି । ଏଥିସହିତ ଟୋଲ ପ୍ଲାଜା, ପେଟ୍ରୋଲ ପମ୍ପ ଆଦି ଗୁଡ଼ିକରେ ମଧ୍ୟ ଫାସଟ୍ୟାଗ ମିଳିବାର ବ୍ୟବସ୍ଥା କରାଯାଇଛି । ଟୋଲପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକ ଯେଭଳି ନଅଟକିବ ଏବଂ ଅଯଥାରେ ତେଲ ନପୋଡ଼ିବ ସେଥିପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।