ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷା

୩୭୭ ସହକାରୀ ଶିକ୍ଷକ ହେଲେ ପ୍ରଧାନ ଶିକ୍ଷକ

ସତ୍ୟଶିଖା (ଭୁବନେଶ୍ୱର) ୦୧/୦୧/୨୦୨୧ : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷର ଶେଷ ଦିନରେ ୩୭୭ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ଦିଆଯାଇଛି । ତେବେ ଏହି ପ୍ରକ୍ରିୟାରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜଣେ ମୃତକଙ୍କୁ ପଦୋନ୍ନତି ମିଳିଥିବାବେଳେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ବତନ୍ତ୍ର ପଦକୁ ଆତ୍ମସାତ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ମାସ ତଳେ ୨୧୭୩ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିଲା । ଏହି ସମୟରେ ଦିବ୍ୟାଙ୍ଗଙ୍କ ଲାଗି ୩ପ୍ରତିଶତ ପଦ ସଂରକ୍ଷଣ ରଖାଯିବା କଥା, ତାହା କରାଯାଇ ନଥିବାବେଳେ ଏବେ ମଧ୍ୟ ଅନୁରୂପ ଭାବେ ଭିନ୍ନକ୍ଷମବର୍ଗଙ୍କ କ୍ଷେତ୍ରରେ ଅବହେଳା କରାଯାଇଛି । ସେହିପରି ପୂର୍ବରୁ ଶିକ୍ଷକଙ୍କ ପଦୋନ୍ନତି ବେଳେ ପ୍ରାୟ ୯ଜଣ ଅବସର ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିଲା ।ଆଜିର ଏହି ପଦୋନ୍ନତି ପ୍ରକ୍ରିୟାରେ ମୃତକଙ୍କୁ ସାମିଲ କରି ବିଭାଗ ତା’ର ଅପାରଗତାର ଆଉ ଏକ ଉଦାହରଣ ଦେଇଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରକାରଙ୍କ ଏହି ପଦୋନ୍ନତି ନିଷ୍ପତ୍ତିକୁ ଓଷ୍ଟା ସଂଘ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଓଷ୍ଟା ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପାଖାପାଖି ୫୦୦୦ରୁ ଊର୍ଦ୍ଧ୍ବ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବାରୁ ବିଦ୍ୟାଳୟର ଶିକ୍ଷାଦାନ ସହିତ ଶୈକ୍ଷିକ ପରିବେଶ ବାଧାପ୍ରାପ୍ତ ହେଉଥିଲା । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଏଥିନିମତ୍ତେ ବାରମ୍ବାର ରାଜ୍ୟ ସରକାଙ୍କର ଦୃଷ୍ଟି ଆକର୍ଷଣ କରାଯାଉଥିଲା । କିଛି ଶିକ୍ଷକ ଅଦାଲତରେ ବରିଷ୍ଠତା ନିର୍ଦ୍ଧାରଣ ଉପରେ ତ୍ରୁଟି ଦର୍ଶାଇ କୋର୍ଟ କେସ୍ କରିଥିଲେ । ଅଦାଲତ ପଦୋନ୍ନତି ଉପରେ ରହିତାଦେଶ ଦେଇଥିଲେ । ଉକ୍ତ ରହିତାଦେଶ ଥିବାରୁ ସରକାର ପଦୋନ୍ନତି ଦେଇପାରୁ ନଥିଲେ । ଓଷ୍ଟା ପକ୍ଷରୁ ଉଚ୍ଚ ଅଦାଲତରେ ଆପତ୍ତି କରାଯିବା ପରେ ବାଟ ଫିଟିଥିଲା । ରାଜ୍ୟ ସରକାର ପ୍ରଥମ ପାଳିରେ ୨୧୭୩ ଓ ଦ୍ୱିତୀୟ ପାଳିରେ ୩୭୭ ପ୍ରଧାନ ଶିକ୍ଷକ ପଦ ପୂରଣ କରିପାରିଛନ୍ତି ।

Show More
Back to top button