ଦେଶବିଦେଶରାଜ୍ୟସ୍ୱାସ୍ଥ୍ୟ

ନୂଆ କରୋନା ମାରାତ୍ମକ ହେଉଛି

ସତ୍ୟଶିଖା ୨୮/୧୨/୨୦୨୦ : ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି । ବିଶ୍ୱବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବ୍ରିଟେନ୍‌ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ୱବାସୀଙ୍କ ନିଦ ହଜାଇ ଦେଲାଣି । ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ୱର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି । ବ୍ରିଟେନ୍‌ ପକ୍ଷରୁ ନୂଆ କରୋନା ଭୂତାଣୁ ସଂପର୍କରେ ଘୋଷଣା ହେବା ପରେ ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ଏହି ଦେଶକୁ ବିମାନ ସେବା ବନ୍ଦ କରିଦେଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌କୁ ବିମାନ ବନ୍ଦ ରଖାଯାଇଛି । ବ୍ରିଟେନ୍‌ରୁ ଭାରତକୁ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବା ସହିତ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଫ୍ରାନ୍ସ ସରକାର ଏହାର ବ୍ରିଟେନ୍‌ ସୀମାକୁ ସିଲ୍ କରିଦେଇ ସାରିଛନ୍ତି । ଜା‌ପାନରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ସୋମବାରଠାରୁ ମାସେ ପର୍ଯ୍ୟନ୍ତ ଜାପାନ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି । ‌ସେହିଭଳି ବିଦେଶରୁ ଦେଶକୁ ଫେରିବାକୁ ଥିବା ଜାପାନୀ ନାଗରିକଙ୍କ ପାଇଁ କଠୋର ନିୟମ ଲାଗୁ କରିଛି । ବିଦେଶରୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ନାଗରିକମାନେ ‌ପ୍ରଥମେ ସେମାନଙ୍କ କରୋନା ନେଗେଟିଭ ରିପୋର୍ଟ ଦାଖଲ କରିବେ । ଏଥିସହିତ ଜାପାନରେ ପହଞ୍ଚିବା ପରେ ପୁନର୍ବାର ସେମାନଙ୍କ କରୋନା ପରୀକ୍ଷା ହେବ । ତେବେ ବିଦେଶୀଙ୍କ ପାଇଁ ଯାତ୍ରା କଟକଣା ଜାପାନ ପକ୍ଷରୁ ୧୦ଟି ଏସୀୟ ଦେଶର ଛାତ୍ର ଓ ବ୍ୟବସାୟୀଙ୍କ ପାଇଁ କୋହଳ ହେବ ବୋଲି ଜଣାଯାଇଛି ।ବିମାନ ଚଳାଚଳ ଉପରେ କଟକଣା ସତ୍ତ୍ବେ ଉତ୍ତର ଆମେରିକାର କାନାଡ଼ା ଏବଂ ଏସିଆ ମହାଦେଶର ସିଙ୍ଗାପୁର ଓ ଜାପାନରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଅଷ୍ଟ୍ରେଲିଆରେ ମଧ୍ୟ ଏହି ରୋଗୀ ବାହାରିଛନ୍ତି । ବ୍ରିଟେନ୍‌ରୁ ବିଭିନ୍ନ ଦେଶକୁ ଯାତ୍ରା କରିଥିବା ଅଧିକାଂଶ ବ୍ୟକ୍ତି ଏହି ଭୂତାଣୁର ବାହକ ହୋଇଛନ୍ତି । ନୂଆ କରୋନା ଭୂତାଣୁ ସ୍ପେନ, ସ୍ବିଜରଲ୍ୟାଣ୍ଡ, ସ୍ବିଡେନ, ଫ୍ରାନ୍ସ, ଡେନ୍‌ମାର୍କ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡ ଆଦି ଦେଶରେ ବ୍ୟାପିସାରିଛି । ସୂଚନା ଅନୁଯାୟୀ ସ୍ପେନର ମାଦ୍ରିଦଠାରେ ୪ ଜଣ ନୂଆ କରୋନା ଭୂତାଣୁର ଶିକାର ହୋଇଛନ୍ତି । ସେମାନଙ୍କର ବ୍ରିଟେନ୍‌ ଗସ୍ତ ଇତିହାସ ରହିଛି । କାନାଡ଼ାର ଅଣ୍ଟୋରିଓଠାରେ ସଂକ୍ରମିତ ହୋଇଥିବା ନୂଆ ଦମ୍ପତି କୌଣସି ଦେଶକୁ ଯାତ୍ରା କରିଥିବା କିମ୍ବା ସଂକ୍ରମିତ ହୋଇଥିବା ଲୋକଙ୍କ ସହିତ ମିଶିଥିବାର ପ୍ରମାଣ ଏପର୍ଯ୍ୟନ୍ତ ମିଳି ନଥିବାରୁ ଉକ୍ତ ଭୂତାଣୁ ବ୍ୟାପିବାର ରହସ୍ୟ ସ୍ପଷ୍ଟ ହୋଇପାରୁନାହିଁ । ନୂଆ କରୋନା ଭୂତାଣୁ ସଂକ୍ରମଣର ବେଗ ପୁରୁଣା ଭୂତାଣୁ ତୁଳନାରେ ୭୦ ଗୁଣ ଅଧିକ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

ବ୍ରିଟେନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ନୂଆ କରୋନା ଭୂତାଣୁ ଆତଙ୍କ ଖେଳାଇବାର ପ୍ରମୁଖ କାରଣ ଗୁଡ଼ିକ ହେଲା ଏହା ପୁରୁଣା ଭୂତାଣୁକୁ କ୍ଷିପ୍ର ବେଗରେ ବ୍ୟାପୁଛି । ଲୋକଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ କ୍ଷମତା ଏହି ଭୂତାଣୁଠାରେ ରହିଛି । ଏହା ମାରାତ୍ମକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଲେଣି । ଭାରତରେ ଯଦିଓ ଗତ କିଛିଦିନ ହେଲା କରୋନାର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ତଥାପି ସାମାନ୍ୟ ଅସଚେତନତା ଭାରତକୁ ପୁଣି ବଡ଼ ଅଡ଼ୁଆରେ ପକାଇ ଦେଇପାରେ । ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ଯଦି ନୂଆ କରୋନା ଭୂତାଣୁ ପ୍ରବେଶ କରେ ତାହେଲେ ତାହାକୁ ରୋକିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡ଼ିବ । ତେଣୁ ଆଗୁଆ ସତର୍କ ରହିବା ସହିତ ଭିଡ଼ ସ୍ଥାନକୁ ନଯିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ବାରମ୍ବାର ହାତ ସଫା କରିବା ଏବଂ ମାସ୍କ ପିନ୍ଧିବା ଉପରେ ଲୋକଙ୍କୁ ଗୁରୁତ୍ବ ଦେବାକୁ ପଡ଼ିବ । ନଚେତ୍‌ ଟିକେ ଅସାବଧାନ ସୁଧୁରୁଥିବା ଭାରତୀୟ ଅର୍ଥନୀତି ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁଣି ଅକଳରେ ପକାଇଦେବାର ସମସ୍ତ ଆଶଙ୍କା ରହିଛି ।

Show More
Back to top button