ରାଜ୍ୟ

‘ଝୋ ଲୋ’ ମାର୍ଗରେ ଚାଲୁଥିଲା ଆକାଶ

ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ଗୁଗଲ୍‌ ସର୍ଚ୍ଚ ଓ ୟୁଟ୍ୟୁୁବ୍‌ରେ ‘ଝୋ ଲୋ’ ଟାଇପ୍‌ କଲେ ଆପଣଙ୍କୁ ଉପଲବ୍ଧ ହେବ ବଡ଼ ଦଲାଲ ତଥା ଠକର ଅନେକ ତଥ୍ୟ । ମାଲେସିଆର ଏହି ଯୁବ ବ୍ୟବସାୟୀ ଝୋ ଲୋ ଜଣକ କିଛି ବର୍ଷ ମଧ୍ୟରେ ବିଶ୍ୱରେ ଏକ ନାମୀ ଠକ ହୋଇଯାଇଥିଲା । ବଡ଼ ବଡ଼ ରାଜନେତା, ତାରକା ଓ ବ୍ୟବସାୟୀଙ୍କ ଗହଣରେ ବସାଉଠା କରୁଥିବା ଝୋ ଲୋ ମାଲେସିଆର ବିକାଶ ଲାଗି ସିଙ୍ଗାପୁର, ୟୁକେ, ବ୍ରିଟେନ୍‌ ଓ ଆଦି ପ୍ରମୁଖ ରାଷ୍ଟ୍ରର ବ୍ୟବସାୟୀ ଓ ରାଜନେତାଙ୍କୁ ୧ ମାଲେସିଆ ଡେଭଲପ୍‌ମେଣ୍ଟ ବରହାଡ (୧ଏମ୍‌ଡିବି)ରେ ବିନିଯୋଗ କରିବା ଲାଗି ପ୍ରଲୋଭନ ଦେଖାଇ ପ୍ରାୟ ୪.୫ ବିଲିଅନ୍‌ ଡଲାର ଚୂନ ଲଗାଇଥିଲା । ୨୦୧୫ରେ ୧ଏମ୍‌ଡିବି ଠକେଇ ପଦାକୁ ଆସିଥିଲା ।ମାଲେସିଆ ସରକାରଙ୍କ ନାମରେ ଏକ ପାଣ୍ଠି ଗଠନ କରି ଝୋ ଲୋ ଚତୁରତା ସହ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ଚମ୍ପଟ ହୋଇଯାଇଥିଲା । ଏବେ ତାକୁ ଠାବ ଲାଗି ମାଲେସିଆ ସରକାର ଇଣ୍ଟରପୋଲ୍‌ର ସହାୟତା ନେଇଛନ୍ତି । ଝୋ ଲୋ ଯେଉଁ ଢ଼ଙ୍ଗରେ ଠକାମି କରୁଥିଲେ ଅନୁରୂପ ଢ଼ଙ୍ଗରେ ଲୋକଙ୍କୁ ଠକିବା ଲାଗି ବାଟ ଆପଣାଇଥିଲା ଆକାଶ । ୬୫ ଲକ୍ଷ ଠକେଇ ମାମଲାରେ ୪ ଦିନ ପାଇଁ ପଚରାଉଚରା ଲାଗି କମିସନରେଟ୍ ପୁଲିସ ଆକାଶକୁ ହେପାଜତରେ ଆଣିଥିଲା ।ସୋମବାର ଆକାଶକୁ ଜେଲ୍‌ ପଠାଇ ଦିଆଯାଇଛି । ଆକାଶ ବିରୋଧରେ ଖୁବ୍‌ଶୀଘ୍ର ଅଭିଯୋଗ ଫର୍ଦ ଦାଖଲ କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । କଥା କହିବାର ଶୈଳୀରେ ଆକାଶ ଏତେ ମାହିର ଅତି କମ୍ ସମୟ ମଧ୍ୟରେ ସେ ଜଣଙ୍କୁ ତା’ର ଜାଲ୍‌ରେ ଫସାଇ ଦେଇପାରିବ । ଜେରା ବେଳେ ପୁଲିସ ଅଧିକାରୀଙ୍କୁ ବଦଳି ଭୟ ଦେଖାଇ ଜେରାକୁ ବି ପ୍ରଭାବିତ କରିବାକୁ ସେ ଉଦ୍ୟମ କରିଥିଲା ।

Show More
Back to top button