
ସତ୍ୟଶିଖା ୧୬/୧୨/୨୦୨୦ : ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର । କିନ୍ତୁ ଆଜିକାଲି ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କରୁଛନ୍ତି କିଛି ଶିକ୍ଷକ । ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରେ । ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ୫ ଜଣ ଛାତ୍ରୀଙ୍କୁ ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିବା ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲାରେ ଏହି ଘଟଣା ଘଟିଛି । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୪୦ ବର୍ଷୀୟ ଏହି ପ୍ରଧାନ ଶିକ୍ଷକ ସ୍କୁଲ ପରିସରରେ ୭ରୁ ୧୧ ବର୍ଷର ୫ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି । ଗତ ଅଗଷ୍ଟରୁ ବାରମ୍ବାର ସେ ଏପରି ଘୃଣ୍ୟ କାର୍ଯ୍ୟ କରିଆସୁଥିଲେ ବୋଲି ପୁଲିସ କହିଛି ।
ଏପରି କି ଦୁଷ୍କର୍ମ କରିବା ପୂର୍ବରୁ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ । ଦୁଷ୍କର୍ମ ପରେ ଏ ବିଷୟରେ କାହାକୁ ନ କହିବା ଲାଗି ଧମକ ଦେଉଥିଲେ । କିନ୍ତୁ ନିକଟରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ୭ବର୍ଷୀୟା ଛାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ତାଙ୍କ ମା’ଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ । ଏ ନେଇ ପୁଲିସ ନିକଟରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ଏହି ଜଣେ ଛାତ୍ରୀ ନୁହେଁ, ବରଂ ୫ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲେ ବୋଲି ଲକ୍ଷ୍ମୀଦେବପାଲ୍ଲୀ ଥାନା ଏସଆଇ ଅଞ୍ଜୟା କହିଛନ୍ତି । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଇପିସି ଦଫା ୩୭୬ ଏବଂ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି ପୁଲିସ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏଯାଏ ଧରାପଡ଼ି ନାହିଁ ।