

ସତ୍ୟଶିଖା (ଜଳେଶ୍ଵର) ୧୪.୧୨.୨୦୨୦ : ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ୭ ବର୍ଷ ଶିଶୁକନ୍ୟା ନିଖୋଜ ଘଟଣା । ତିନିଦିନ ପରେ ମିଳିଲା ନିଖୋଜ ବିଷ୍ଣୁପ୍ରିୟା ପାତ୍ରର ମୃତଦେହ । ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇଥିଲେ ସମ୍ପର୍କୀୟ ମାମୁଁ ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ । ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୋଲିସର ପଚରାଉଚୁରା ଜାରି ରହିଛି । ସେପଟେ ଘଟଣାସ୍ଥଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ ଆରମ୍ବ କରିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ତିନି ଦିନହେଲା ନିଖୋଜ ଥିଲା ବିଷ୍ଣୁପ୍ରିୟା ।
ସୂଚନାଯୋଗ୍ୟ ଯେ, ସୁନ୍ଦୁରିକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ପାତ୍ର ଶୁକ୍ରବାର ସକାଳେ ଟ୍ୟୁସନ ସାରି ୯ଟାରେ ଘରକୁ ଫେରିଥିଲା । ତାପରେ ନିକଟସ୍ଥ ଜମ୍ଭୀରାଇ ଗ୍ରାମରେ ଥିବା ମାମୁ ଘରକୁ ସେ ବୁଲି ଯାଇଥିଲା । ସନ୍ଧ୍ୟାରେ ନେଉଳି ମାମୁ ଘରୁ ନଫେରିବାରୁ ତାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ମାମୁ ଘର ଲୋକେ ନେଉଳି ତାଙ୍କ ଘରକୁ ଯାଇ ନଥିବା କହିଥିଲେ । ପରେ ରାତି ସାରା ନେଉଳିକୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ପୁଣି ପର ଦିନ ନେଉଳି ନିଖୋଜ ହେବା ଘଟଣା ସଂପର୍କରେ ତାର ଫଟୋଚିତ୍ର ସହ ପାଶ୍ୱର୍ବର୍ତ୍ତୀ ୬ରୁ ୭ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । କିନ୍ତୁ ନେଉଳିର କୌଣସି ସୁରାକ୍ ମିଳି ନଥିଲା । ନେଉଳି ନିଖୋଜ ପଛରେ କିଛି ଚୋରା ରାକେଟ କାମ କରୁଛି କିମ୍ବା ଏହା ପଛରେ ମାନବ ଅଙ୍ଗ ଚୋରା ଚାଳାଣକାରୀଙ୍କ ହାତ ରହିଛି ବୋଲି ତା’ ବାପା ବଳରାମ ସନ୍ଦେହ କରିଥିଲେ । ଏନେଇ ସେ ବାଲିଆପାଳ ଥାନାରେ ଏତଲା ଦେବା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲା । ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ସନ୍ଦେହରେ ଅଟକ ରଖିଥିଲା । କିନ୍ତୁ ଆଜି ସକାଳେ ଏକ ଗାତରୁ ବିଷ୍ଣୁପ୍ରିୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ମାମଲାରେ ଜଣେ ସମ୍ପର୍କୀୟ ମାମୁଁଙ୍କୁ ପୋଲିସ ଅଟକ ରଖି ପଚାଉଚୁରା ଜାରି ରଖିଛି ।