ବାଣିଜ୍ୟ

ଟିଭିଏସ୍‌ ଗ୍ରୁପ୍‌ରେ ଦାୟିତ୍ୱ ଶୁଣାଣି

ସତ୍ୟଶିଖା ୧୨/୧୨/୨୦୨୦ :  ଟିଭିଏସ୍‌‌ ଗ୍ରୁପ୍‌ ଦେଶର ଏକ ପୁରୁଣା ବ୍ୟବସାୟିକ ସାମ୍ରାଜ୍ୟ । ୧୦୯ ବର୍ଷ ତଳେ ୧୯୧୧ ମସିହାରେ ଟି ଭି ସୁନ୍ଦରମ୍‌ ଆୟେଙ୍ଗାରଙ୍କ ଦ୍ୱାରା ଏହି କମ୍ପାନି ସ୍ଥାପନ ହୋଇଥିଲା । ଅଟୋମୋବାଇଲ ଠାରୁ ଆରମ୍ଭ କରି ଅଟୋ ଉପକରଣ, ଲଜିଷ୍ଟିକ୍ସ ଓ ଫାଇନାନ୍ସ ଆଦି ବିବିଧ ବ୍ୟବସାୟ ଏହି ଗ୍ରୁପ୍ କରିଆସୁଛି । ପ୍ରତିଷ୍ଠାତାଙ୍କ ତୃତୀୟ ଓ ଚତୁର୍ଥ ପିଢ଼ିର ପରିବାର ଲୋକେ ଏହି ଗ୍ରୁପ୍ କମ୍ପାନି ଗୁଡ଼ିକୁ ପରିଚାଳିତ କରୁଛନ୍ତି । ତେବେ ମାଲିକାନାସ୍ଵତ୍ୱକୁ ସରଳ କରିବା ପାଇଁ ପରିବାର ବରିଷ୍ଠ ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି । ଆୟେଙ୍ଗାରଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯେଉଁ କମ୍ପାନିର ପରିଚାଳନା କରୁଛନ୍ତି ମୁଖ୍ୟତଃ ସେହିମାନଙ୍କ ନିକଟରେ ସେ କମ୍ପାନିର ଅଂଶଧନ ରହିବ । ଗ୍ରୁପ୍‌ରେ ଏପ୍ରକାର ପୁନର୍ଗଠନ ହେଲେ କମ୍ପାନି ପରିଚାଳନା ସହଜ ହେବ ବୋଲି ଆଶା କରାଯାଉଛି ।ଏହି ଗ୍ରୁପ୍‌ର ବ୍ୟବସାୟ ଆକାର ପ୍ରାୟ ୮.୫ ବିଲିଅନ ଡଲାର ପାଖାପାଖି ୬୦ଟି କମ୍ପାନି ଏହି ଗ୍ରୁପ୍ ଅଧୀନରେ ରହିଛି । ଆୟେଙ୍ଗାରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଏବେ ଯେଉଁ ସଦସ୍ୟମାନେ ଯେଉଁ କମ୍ପାନିର ପରିଚାଳନା କରୁଛନ୍ତି ସେମାନେ ‌ହିଁ ସେହି କମ୍ପାନିର ପରିଚାଳନା ଜାରି ରଖିବେ । ସୁ‌ରେଶ କ୍ରିଷ୍ଣା ଓ ତାଙ୍କ ପରିବାର ସୁନ୍ଦରମ୍ ଫାଷ୍ଟେନର୍ସର, ବେଣୁ ଶ୍ରୀନିବାସନଙ୍କ ପରିବାର ଟିଭିଏସ ମୋଟର କମ୍ପାନି ଓ ସୁନ୍ଦରମ୍ କ୍ଲେଟନ୍‌ର, ରାମ୍ ଓ ତାଙ୍କ ପୁଅ ଶ୍ରୀବତ୍ସ ରାମ ହ୍ବିଲ୍ସ ଇଣ୍ଡିଆର ଏବଂ ଏସ୍‌ ବିଜି ଓ ତାଙ୍କ ପୁଅ ଶ୍ରୀରାମ ବିଜି ବ୍ରେକ୍ସ ଇଣ୍ଡିଆର ପରିଚାଳନା କରିବେ ।

Show More
Back to top button