ଜିଏସ୍ଟି କ୍ଷତିପୂରଣ

ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୨/୨୦୨୦ : କେନ୍ଦ୍ର ସରକାର ଆଜି ଜିଏସ୍ଟି କ୍ଷତିପୂରଣ ବାବଦ ଷଷ୍ଠ କିସ୍ତିରେ ଆଉ ୬୦୦୦ କୋଟି ଟଙ୍କା ଜାରି କରିଛନ୍ତି । ପ୍ରତି କିସ୍ତିରେ ସମାନ ୬୦୦୦ କୋଟି ଟଙ୍କା ଲେଖାଏଁ ଆକାରରେ ବର୍ତ୍ତମାନ ସୁଦ୍ଧା ୩୬ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟଗୁଡ଼ିକୁ ଦିଆଯାଇଛି । ସେଥିରୁ ଓଡ଼ିଶା ଭାଗରେ ୧୫୩୮ କୋଟି ଟଙ୍କା ପଡ଼ିଥିବା ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ଜିଏସ୍ଟି କ୍ଷତିପୂରଣ ରାଶି ଦେବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର କହିବା ପରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ଦେଖାଦେଇଥିଲା । ଦୀର୍ଘଦିନ ଆଲୋଚନା କରିବା ପରେ ସମାଧାନର ବାଟ ବାହାରିଥିଲା । ଋଣ ମାଧ୍ୟମରେ ୧,୦୬,୮୩୦ କୋଟି ଟଙ୍କା ଯୋଗାଡ଼ କରି ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେବା ପରେ ଏହି ପ୍ରସଙ୍ଗକୁ ନେଇ ରହିଥିବା ଉଷ୍ମତା କମିଥିଲା । କିଛି ଦିନ ତଳେ ଶେଷ ରାଜ୍ୟ ଭାବେ ଝାଡ଼ଖଣ୍ଡ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା ।ଆଜି କେନ୍ଦ୍ର ସରକାର ଜାରି କରିଥିବା ୬୦୦୦ କୋଟି ଟଙ୍କାରୁ ୫୫୧୬.୬୦ କୋଟି ଟଙ୍କା ୨୩ଟି ରାଜ୍ୟକୁ ମିଳିଥିବା ବେଳେ ୪୮୩.୪୦ କୋଟି ଟଙ୍କା ତିନିଟି କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳିଛି । ଜିଏସ୍ଟି କାର୍ଯ୍ୟକାରିତା ଦୃଷ୍ଟିରୁ ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ୍ ଓ ସିକିମ୍ରେ କୌଣସି ରାଜସ୍ବ ଶୂନ୍ୟସ୍ଥାନ ନଥିବା ଜଣାପଡ଼ିଛି । ଏଥରର ଟଙ୍କାକୁ କେନ୍ଦ୍ର ସରକାର ୪.୨୦୮୯% ସୁଧରେ ଆଣିଛନ୍ତି । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ୱିଣ୍ଡୋ ଗଠନ କରାଯାଇଛି । ଜିଏସ୍ଟି କ୍ଷତିପୂରଣ ରାଶି ଜାରି କରିବା ସହ ଜିଏସ୍ଡିପିର ଅତିରିକ୍ତ ୦.୫% ଋଣ କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ସେହି ଅନୁସାରେ ଓଡ଼ିଶା ୨୫୫୮ କୋଟି ଟଙ୍କାର ଋଣ ଆଣିପାରିବ । ଏହି ଋଣ ଆଣିବା କିମ୍ବା ନଆଣିବା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ ।