ଅପରାଧରାଜ୍ୟ

ଭୋଜି ଖାଇବାକୁ ଆସି ଧରା ପଡିଗଲା ପୋଲିସ ଜାଲରେ

ସତ୍ୟଶିଖା (ଭୁବନେଶ୍ୱର) ୧୦/୧୨/୨୦୨୦ : ଭୋଜି ଖାଇବାକୁ ଆସି ଧରା ପଡିଲା ଅଭିଯୁକ୍ତ ।  ଚାକରକୁ ହତ୍ୟା ମାମଲାର ୫ମାସ ଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ତମାଣ୍ଡୋ କାବୁ କରିବାରେ ସଫଳ ହୋଇଛି । ଅମଳେନ୍ଦୁ ପଟ୍ଟନାୟକ ଓରଫ୍‌ ଯୀଶୁଙ୍କୁ ଏକ ବିବାହ ଭୋଜିରୁ ଉଠାଇ ଆଣିଛି ପୋଲିସ । ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯିବ ।

ସୂଚନାନୁସାରେ, ଖୋର୍ଦ୍ଧା ସହର ରାଧାବଲ୍ଲଭ ସାହିରେ ରହୁଥିବା ସନାତନ ମିଶ୍ର ତମାଣ୍ଡୋ ବାସିନ୍ଦା ଯୀଶୁଙ୍କ ଘରେ ଦୀର୍ଘ ବର୍ଷ ଧରି ଚାକର ଭାବେ କାମ କରୁଥିଲେ । ଗତ ଜୁନ୍‌ ୧୪ ତାରିଖରେ ଯୀଶୁଙ୍କ ଘରର ଉପର ମହଲାରୁ ସନାତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ଏଙାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । କିନ୍ତୁ ସନାତନଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ମାମଲାରେ ଦଫା ୩୦୨ ଯୋଡ଼ି ତଦନ୍ତକୁ ଆଗେଇ ଥିଲା ।  ଯୀଶୁଙ୍କୁ ପଚରାଉଚରା ପାଇଁ ଖୋଜୁଥିବା ଜାଣି ସେ ଗିରଫ ଭୟରେ ଫେରାର୍‌ ହୋଇ ଯାଇଥିଲେ । ପୋଲିସକୁ ଧରାଛୁଆଁ ଦେଉନଥିଲେ ।

ତେବେ ଖୋର୍ଦ୍ଧା ଡାକ ବଙ୍ଗଳାରେ ଚାଲିଥିବା ଏକ ବିବାହ ଉତ୍ସବରେ ଯୀଶୁ ଯୋଗଦେବାକୁ ଆସିଥିଲେ । ତମାଣ୍ଡୋ ପୋଲିସ ଏନେଇ ଆଗୁଆ ଖବର ପାଇଯାଇଥିଲା । ଖୋର୍ଦ୍ଧା ଟାଉନ୍‌ ଥାନା ପୋଲିସ୍‌ ସହାୟତାରେ ସେଠାକୁ ଯାଇ ଯୀଶୁଙ୍କୁ କାବୁ କରିଥିଲା ତମାଣ୍ଡୋ ପୋଲିସ । ହତ୍ୟାରେ ସମ୍ପୃକ୍ତି ଥିବା ନେଇ ତାଙ୍କୁ ପଚରାଉଚରା ଜାରି ରହିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Show More
Back to top button