୯ ଜିଲ୍ଲା କୁହୁଡ଼ିରେ ଘେରି ହୋଇ ରହିଛି

ସତ୍ୟଶିଖା (ଭୁବନେଶ୍ୱର) ୧୦/୧୨/୨୦୨୦ : ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତ ଧିରେଧିରେ କମିବ। ତେବେ ଗୁରୁବାର ବୌଦ୍ଧ, ବରଗଡ଼, କନ୍ଧମାଳ, କଟକ, ରାୟଗଡ଼ା,ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ଏନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟରେ ଆସନ୍ତା ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେଣୁ ଶୀତ କମିବ। ବୁଧବାର କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ରହିଥିଲା । କିନ୍ତୁ ଏହି ବଳୟ ଆସନ୍ତା ୭ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।ସେ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ ୧୨ରୁ ୧୪ ତାରିଖ ମଧ୍ୟରେ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ୍ ବଢ଼ିବାବେଳେ ସୁନ୍ଦରଗଡ଼ରେ ୨.୫ ଡିଗ୍ରୀ ସେଲସିୟସ୍ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୨ରୁ ୧୩ ତାରିଖ ମଧ୍ୟରେ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ୧୨ ତାରିଖ ରାତି କିମ୍ବା ୧୩ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ଗୁରୁବାର ଓ ଶୁକ୍ରବାର ତାପମାତ୍ରା ସାମାନ୍ୟ କମିବ ।
ଏତତ୍ ବ୍ୟତୀତ, ରାଜ୍ୟର କେତେକାଂଶରେ କୁହୁଡ଼ି ଦେଖାଦେବ । ଜଳାଶୟ ଥିବା ସ୍ଥାନଗୁଡିକରେ ଅଧିକ କୁହୁଡି ରହିବ । ଏନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ।