
ସତ୍ୟଶିଖା ୦୯/୧୨/୨୦୨୦ : ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଟିକେନା ଅଞ୍ଚଳରେ ବୁଧବାର ସକାଳୁ ଏନ୍କାଉଣ୍ଟର୍ରେ ୨ ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ କଶ୍ମୀର ପୁଲିସ, ସେନାର ଯବାନ ଏବଂ ସିଆର୍ପିଏଫ୍ ମିଳିତ ଭାବେ ଏକ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ତାଙ୍କ ଆଡୁ ସୁରକ୍ଷା ବାହାନୀ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଏନ୍କାଉଣ୍ଟର୍ରେ ମୃତ୍ୟୁ ହୋଇଛି ।ସଂପୃକ୍ତ ଅଞ୍ଚଳରେ ପ୍ରାୟ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ପୁଲିସ୍କୁ ସୂଚନା ମିଳିଥିଲା । ଏ ନେଇ ଜମ୍ମୁ-କଶ୍ମୀରର ଡିଜିପି କହିଛନ୍ତି କି ‘ଆଜି ବଡ଼ି ସକାଳୁ ପୁଲୱାମାର ଟିକେନା ଅଞ୍ଚଳରେ ଏକ ସ୍ବତନ୍ତ୍ର ଅପରେସନ ଜାରିି ରହିଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।’ ସୂଚନାମୁତାବକ, ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନର ପରିସ୍ଥିତି ପାଇଁ ପୁଲୱାମାରେ ଅସ୍ଥାୟୀ ଭାବେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ୍ କରି ଦିଆଯାଇଛି ।