ପର୍ଯ୍ୟଟନରାଜ୍ୟ

ଏକାମ୍ରକ୍ଷେତ୍ର, ହେବ ଭିକାରୀମୁକ୍ତ

ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ :  ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଅଞ୍ଚଳକୁ ଭିକାରୀମୁକ୍ତ କରାଯିବା ନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏକାମ୍ର ଯୋଜନାରେ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି ବିଏମ୍‌ସି ଓ ବିଡିଏ । ‘ସହାୟ’ ଯୋଜନା ଆଧାରରେ ଭିକାରୀମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାକୁ ସଫଳ କରିବା ଲାଗି ଏନ୍‌ଜିଓଙ୍କ ସହାୟତା ନିଆଯିବ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ନିକଟରେ ଭିକାରୀଙ୍କ ସଂଖ୍ୟା ବଢ଼ୁଛି । ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ,  ଭିକାରୀଙ୍କ ଭିକ୍ଷାବୃତ୍ତି ନିବାରଣ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ।  ଏକାମ୍ରକ୍ଷେତ୍ର ଅଞ୍ଚଳରେ ଭିକାରୀ ଚିହ୍ନଟ ପାଇଁ ଏବେ ସର୍ଭେ ଚଳାଇଛି ବିଏମସି । ଚିହ୍ନଟ ଭିକାରୀଙ୍କୁ ସହାୟ ଯୋଜନା ମୁତାବକ ଥଇଥାନ କରାଯିବା ନେଇ ବ୍ୟବସ୍ଥ ହୋଇଛି । ଯେଉଁ ଭିକାରୀମାନେ ନିଜ ଘରକୁ ଫେରି ଯିବାକୁ ଚାହିଁବେ ସେମାନଙ୍କୁ ଘରେ ପହଞ୍ଚାଇବାରେ ସରକାର ସାହାଯ୍ୟ କରିବେ ।ଏତତ୍ ବ୍ୟତୀତ, ଅସହାୟ ଓ ନିରାଶ୍ରୟ ଭିକାରୀଙ୍କୁ ସେଲଟର ହୋମ୍‌ରେ ରଖାଯିହ । ଏଥିଲାଗି ବିଏମ୍‌ସି ପକ୍ଷରୁ କିଛି ଏନ୍‌ଜିଓଙ୍କ ସହଯୋଗ ନିଆଯାଇଛି । ସେମାନେ ଭିକାରୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏବେ ସେମାନେ ରାସ୍ତା କଡ଼ରେ ବୁଲୁଥିବା ଭିକାରୀଙ୍କୁ ଥଇଥାନ କରିବାରେ ସାହାଯ୍ୟ କରୁଛନ୍ତି ।

ଏକାମ୍ର ଯୋଜନା ସମ୍ପୂର୍ଣ୍ଣ ହେଲେ ମନ୍ଦିରମାଳିନୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ସରକାର ପ୍ରୟାସ କରିବେ । ଯେପରି  ଦେଶବିଦେଶରୁ ପର୍ଯ୍ୟଟକମାନେ ଏକାମ୍ରକ୍ଷେତ୍ର ପରିଦର୍ଶନରେ ଆସିବେ । କିନ୍ତୁ ତେବେ ମନ୍ଦିର ସାମନାରେ ବସୁଥିବା ଭିକ୍ଷୁକଙ୍କ ସେମାନଙ୍କ ମନରେ ତିକ୍ତ ଅନୁଭୂତି ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ନିରାକରଣ ଲାଗି ସରକାର ଭିକାରୀ ମୁକ୍ତ ଯୋଜନାକୁ ପ୍ରାଥମିକତା ଦେଉଥିବା ଜଣାପଡିଛି ।

Show More
Back to top button