
ସତ୍ୟଶିଖା(ପୁରୀ) ୦୮/୧୨/୨୦୨୦ : ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ନିକଟ ଅତୀତରେ ଆମାଜନ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଥିଲା । ଏହାପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ, ସୁଆର ମହାସୁଆର ନିଯୋଗ, ପୁରୀ ଜିଲ୍ଲା ଅଧିବକ୍ତା ସଂଘ ଏବଂ ପରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁରେ ସିଂହଦ୍ବାର ଥାନାରେ ଏତଲା ଦାଏର କରିଥିଲେ ।