ରାଜନୀତିରାଜ୍ୟ

କେମିତି ଅଛନ୍ତି ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡ଼ା ଜେଲରେ ?

ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ଜୀବନ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିଦେବ ତାହା କହିହେବ ନାହିଁ । ରାଜାରାଜୁଡ଼ାଙ୍କ ଭଳି ଚଳୁଥିବା ମଣିଷ ବି ଅତି ସାଧାରଣସ୍ତରର ଜୀବନଯାପନ କରିବାକୁ ବାଧ୍ୟ ହୋଇପାରେ । ଠିକ ଏଭଳି ଘଟିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ । ଆଜିକୁ ତିନି ଦିନ ହେବ ସେ ଜେଲର ଚାରିକାନ୍ଥ ଭିତରେ ଜଣେ ସାଧାରଣ କଏଦୀର ଜୀବନ ଜିଉଛନ୍ତି । ଦିନ ଥିଲା ଅୟସ ଆରାମରେ ଜୀବନ ବିତାଉଥିଲେ ରାଜ୍ୟର ପ୍ରଭାବଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଉଣ୍ଟକୁ ଆସୁଥିଲା କୋଟି କୋଟି ଟଙ୍କା । ଭାବୀ ଜ୍ବାଇଁ ଆକାଶ ପାଠକ ସହ ଚାର୍ଟର୍‌ ବିମାନରେ ଆକାଶରେ ଘୂରି ବୁଲୁଥିଲେ । ତାଜ୍ ପ୍ୟାଲେସ୍‌ ହୋଟେଲରେ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦେଉଥିଲେ । କିନ୍ତୁ ସେ ଯେ ଦିନେ ଜେଲ୍‌ର ଚାରିକାନ୍ଥ ଦେଖିବେ, ତାହା ସ୍ବପ୍ନ‌ରେ ସୁଦ୍ଧା ଭାବି ନ ଥିଲେ । ଗୁରୁବାର ଗିରଫ ହୋଇ ଜେଲ୍ ଯିବା ପରେ ବଦଳି ଯାଇଛି ସବୁକିଛି । ସାଧାରଣ କଏଦୀଟିଏ ପାଲଟି ଯାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାତିରେ ନିଦ ଆସୁନାହିଁ । ଚିନ୍ତାରେ ବିତୁଛି ଚବିଶ ଘଣ୍ଟା ।ଜାମିନ ନାମଞ୍ଜୁର ହେବା ପରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭୁବନେଶ୍ବରର ଝାରପଡ଼ା ଜେଲରେ ପହଞ୍ଚି ଥିବା ପ୍ରଦୀପଙ୍କୁ ମିଳିଥିଲା ୧୪ ନମ୍ବର ଓ୍ୱାର୍ଡ । ଜେଲ୍ ପକ୍ଷରୁ ଦୁଇଟି କମ୍ବଳ, ଦୁଇଟି ଥାଳି, ଦୁଇଟି ଗିନା ଯୋଗାଇ ଦିଆଯାଇଥିଲା । ରାତିରେ ଖାଦ୍ୟ ଖାଇ ଜେଲକୁ ଯାଇଥିଲେ। କିନ୍ତୁ ଭଲ ଭାବେ ନିଦ ହୋଇ ନ ଥିଲା । ଦୀର୍ଘ ସମୟ ଧରି କଡ଼ ଲେଉଟାଉଥିଲେ । ମଝିରେ ମଝିରେ ଉଠି ବସି ପଡ଼ୁଥିଲେ । ଥଣ୍ଡା ପଡ଼ିଥିବାରୁ କମ୍ବଳ ଘୋଡ଼ି ହୋଇଥିଲେ । ଭୋର୍‌ ସମୟରେ ନିଦ ଲାଗି ଯାଇଥିଲା । କିନ୍ତୁ ଜେଲ୍ ନିୟମ ଅନୁସାରେ, ସକାଳ ୬ଟା ସୁଦ୍ଧା ଉଠିବାକୁ ପଡ଼ିଥିଲା ।

ନିତ୍ୟକର୍ମ ସାରିବା ପରେ ସବୁ କଏଦୀଙ୍କ ଭଳି ସେ ମଧ୍ୟ ଚା’ ପିଇଥିଲେ । ସକାଳ ଜଳଖିଆରେ ଉପମା, ଘୁଗୁନି ଖାଇଥିଲେ । ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳି ଯାଇଥିଲା ମଧ୍ୟାହ୍ନ ଭୋଜନ । ଏଥିରେ ଭାତ, ରୁଟି, ଡାଲି ଓ ତରକାରି ଦିଆଯାଇଥିଲା । ଅନ୍ୟ କଏଦୀମାନଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଥାଳିରେ ଖାଦ୍ୟ ନେଇଥିଲେ ପ୍ରଦୀପ । ସବୁବେଳେ ଘର ଖାଦ୍ୟ ଓ କେତେକ ସମୟରେ ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଉଥିବା ପ୍ରଦୀପଙ୍କୁ ଜେଲ୍ ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସନ୍ଧ୍ୟା ସୁଦ୍ଧା ରାତି ଖାଇବା ମିଳି ଯାଇଥିଲା । ରାତିରେ ଭାତ ଓ ରୁଟି ଥିବା ବେଳେ ରୁଟିକୁ ବାଛିଥିଲେ ପ୍ରଦୀପ। ରୁଟି ସାଙ୍ଗରେ ଡାଲି ଓ ସନ୍ତୁଳା ଖାଇଥିଲେ ।
Show More
Back to top button