ଫ୍ଲିପ୍କାର୍ଟଠୁ ଫୋନ୍ପେ ବାହାରିଯିବ ହେବ : ଏକା ଆଗକୁ ବଢ଼ିବ


ସତ୍ୟଶିଖା (ବେଙ୍ଗାଲୁରୁ) ୦୪/୧୨/୨୦୨୦ : ଆମେରିକାର ସଂସ୍ଥା ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପ୍କାର୍ଟ ଠାରୁ ଫୋନ୍ପେ ଅଲଗା ହେବ । ଏହା ଏକାକୀ ଆଗକୁ ବଢ଼ିବ । ନିଜ ଅଭିବୃଦ୍ଧି ଲାଗି ପାଣ୍ଠି ଯୋଗାଡ଼ କରିବାରେ ଫୋନ୍ପେ ବିଭିନ୍ନ ସମସ୍ୟା ସାମ୍ନା କରିବା ପରେ ଏହାକୁ ନିଜ ଠାରୁ ଅଲଗା କରିବାକୁ ଫ୍ଲିପ୍କାର୍ଟ ନିଷ୍ପତ୍ତି ନେଇଛି । ତେବେ ସମ୍ପୂର୍ଣ୍ଣ ରୂପେ ଏହା ଅଲଗା ହେବ ନାହିଁ । ଦୁଇ କଂପାନି ମଧ୍ୟରେ ସମନ୍ବୟ ରହିବ । ଫୋନ୍ପେର ସବୁଠୁ ବଡ଼ ଅଂଶଧନକାରୀ ହୋଇରହିବ ଫ୍ଲିପ୍କାର୍ଟ । କିନ୍ତୁ ଏହା ନୂଆ ବୋର୍ଡ ଦ୍ବାରା ପରିଚାଳିତ ହେବ । ଫ୍ଲିପ୍କାର୍ଟର ବୋର୍ଡ ଫୋନ୍ପେ ପାଇଁ ନିଷ୍ପତ୍ତି ନେବ ନାହିଁ । ସ୍ବତନ୍ତ୍ର ବୋର୍ଡ ଜରିଆରେ ଏହା ବଜାରରୁ ପାଣ୍ଠି ଉଠାଇବ । ୱାଲମାର୍ଟ ଓ ଟାଇଗର୍ ଗ୍ଲୋବାଲ୍ ଭଳି ସଂସ୍ଥା ଯେଉଁମାନେ ଫ୍ଲିପ୍କାର୍ଟରେ ପୁଞ୍ଜିନିବେଶ କରିଛନ୍ତି ସେମାନେ ଫୋନ୍ପେକୁ ପାଣ୍ଠି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଫୋନ୍ପେ ଏହାର ଚାରି ବର୍ଷ ଯାତ୍ରା ଭିତରେ ବେଶ ଲୋକପ୍ରିୟ ହେବା ସହ ୨୫ କୋଟି ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିଛି । ୨୦୨୨ ଡିସେମ୍ବର ସୁଦ୍ଧା ଏହା ୫୦ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଛି । ସେଥିପାଇଁ ବିପୁଳ ପରିମାଣର ପାଣ୍ଠି ଦରକାର । ତାହା ଯୋଗାଡ଼ କରିବା ଲାଗି ଫୋନ୍ପେ ଏକ ସ୍ବତନ୍ତ୍ର କଂପାନିରେ ପରିଣତ ହୋଇଛି ।