ରାଜ୍ୟସ୍ୱାସ୍ଥ୍ୟ

କରୋନା କାଳରେ ବଢ଼ିଲା ମ୍ୟାଲେରିଆ

ସତ୍ୟଶିଖା (ବୌଦ୍ଧ) ୦୪/୧୨/୨୦୨୦ : କରୋନା ମହାମାରୀରେ ରାଜ୍ୟ ଛଟପଟ ହେଉଥିବା ବେଳେ ମ୍ୟାଲେରିଆ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ ରାଜ୍ୟରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି । ଏପରିକି କିଛି ଜିଲ୍ଲାରେ ଗତବର୍ଷ ତୁଳନାରେ ଶହେରୁ ଅଧିକ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାରେ ୪ଶହ ପ୍ରତିଶତ ଓ ବଲାଙ୍ଗୀରରେ ୨ଶହ ପ୍ରତିଶତ ବୃଦ୍ଧି ହୋଇଥିବା ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଭିବିଡିସିପି) ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରୁ ମ୍ୟାଲେରିଆ ହ୍ରାସ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିଲା ବେଳେ ଏଥିରେ ବୃଦ୍ଧି ଘଟିବା ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଝଟ୍‌କା ଲାଗିଛି । ଅପରପକ୍ଷରେ କିଛିବର୍ଷ ଧରି ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିବା ଡେଙ୍ଗୁ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି । ଗତବର୍ଷ ତୁଳନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟ ଯଥେଷ୍ଟ ହ୍ରାସ ପାଇଛି ।ଗତବର୍ଷ ଅକ୍ଟୋବର ମାସ ବେଳକୁ ରାଜ୍ୟରେ ୩୩,୨୦୭ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ମାତ୍ର ଚଳିତବର୍ଷ ଏଥିରେ ୧୩.୪ ପ୍ରତିଶତ ବୃଦ୍ଧି ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୫୨କୁ ବୃଦ୍ଧି ପାଇଛି । ମାତ୍ର ଚଳିତବର୍ଷ ମ୍ୟାଲେରିଆ ପରୀକ୍ଷାରେ ହ୍ରାସ ଘଟିଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୫୪ଲକ୍ଷ ୫୪ହଜାର ୭୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ଚଳିତବର୍ଷ ୪୯,୯୧ହଜାର ୧୯୪ ନମୁନା ପରୀକ୍ଷା ହୋଇଛି । ସାମଗ୍ରିକ ଭାବେ ଅକ୍ଟୋବର ପର୍ଯ୍ୟନ୍ତ ସାଢ଼େ ୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ସେହିପରି ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ଗତବର୍ଷ ୦.୬୧ ପ୍ରତିଶତ ଥିବା ବେଳେ ଚଳିତବର୍ଷ ଏହା ୦.୭୫କୁ ବୃଦ୍ଧି ପାଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୫ଜଣ ପ୍ରାଣ ହରାଇଥିବା ବେଳେ ଚଳିତବର୍ଷ ୮ଜଣ ପ୍ରାଣ ହରାଇଛନ୍ତି ।ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଅକ୍ଟେବାର ବେଳକୁ ୧୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ଜିଲ୍ଲାରେ ୫୯୭ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯ରୁ ୯୮୭କୁ ବୃଦ୍ଧି ପାଇଛି । ଜିଲ୍ଲାରେ ୨୨୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହାବାଦ୍ ବାଲେଶ୍ବର, କଳାହାଣ୍ଡି, ନୂଆପଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଉପକୂଳ ଓଡ଼ିଶାରେ ମ୍ୟାଲେରିଆ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଆହୁରି ହ୍ରାସ ପାଇଛି । ଖୋର୍ଧା, କଟକ, ପୁରୀ, କେନ୍ଦୁଝର, ଗଜପତି ଓ କୋରାପୁଟରେ ହ୍ରାସ ଦେଖିବାକୁ ମିଳିଛି । ଏପରିକି ମ୍ୟାଲେରିଆ ପ୍ରବଣ ମାଲକାନଗିରିରେ ମାତ୍ର ୦.୩୧ ପ୍ରତିଶତ ବୃଦ୍ଧି ହୋଇଛି । ଯାହାକି ରାଜ୍ୟ ପାଇଁ ଶୁଭ ସୂଚନା । ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ସରକାର ଏନ୍‌ଜିଓ ସହିତ ଚୁକ୍ତି କରିଛନ୍ତି । ସଂପୃକ୍ତ ଏନ୍‌ଜିଓ ଏକାଧିକ ଜିଲ୍ଲାରେ ନିଜର କାର୍ଯ୍ୟକ୍ରମ କରୁଛି । ମାତ୍ର ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେବା ଏନ୍‌ଜିଓମାନଙ୍କର କାର୍ଯ୍ୟଧାରା ପ୍ରତି ମଧ୍ୟ ଆହ୍ବାନ ସୃଷ୍ଟି କରିଛି ।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ରାଜ୍ୟବ୍ୟାପୀ ମ୍ୟାଲେରିଆ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ମାତ୍ର ଚଳିତବର୍ଷ କରୋନା ପାଇଁ ଏସବୁ କାର୍ଯ୍ୟକ୍ରମ ପ୍ରାୟତଃ ହୋଇପାରି ନାହିଁ । ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାସହ ପ୍ଲାଜମୋଡିୟମ୍ ଫାଲ୍‌ସିପାରମ୍ ବା ପିଏଫ୍‌ ପାରାସାଇଟ୍‌ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି । ନିକଟରେ ରାଜ୍ୟରେ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ପର୍ଯ୍ୟାୟରେ । କେନ୍ଦ୍ର ସହାୟତାରେ ୨କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ମ୍ୟାଲେରିଆ ନିୟନ୍ତ୍ରଣରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

ଅପରପକ୍ଷରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଗତବର୍ଷ ତୁଳନାରେ ରାଜ୍ୟରେ ୮୪ ପ୍ରତିଶତ ହ୍ରାସ ପାଇଛି । କେବଳ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ବାଦ୍ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ହ୍ରାସ ପାଇଛି । ରାୟଗଡ଼ାରେ ଗତବର୍ଷ ଅକ୍ଟେବାର ସୁଦ୍ଧା ୧୭ଜଣ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏଥିରେ ୭୩୫ ପ୍ରତିଶତ ବୃଦ୍ଧି ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ୯ଟି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ଶତ ପ୍ରତିଶତ ହ୍ରାସ ପାଇଛି ।

Show More
Back to top button