ଆସୁଛି ଆଉ ଏକ ବାତ୍ୟା


ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ଡିସେମ୍ବର ୪ ତାରିଖ ଶୁକ୍ରବାର ଦିନ ତାମିଲନାଡୁ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ନାମକରଣ କରିଛି ମାଳଦ୍ୱୀପ । ଡିସେମ୍ବର ୨ ତାରିଖ ସନ୍ଧ୍ୟା କିଂବା ରାତିରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ତ୍ରିଙ୍କୋମାଲୀ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୯୫ କିଲୋମିଟର ଝୁଙ୍କ ସହ ବତାସର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିପାରେ । ଏହାପରେ ‘ବୁରେବି’ ପଶ୍ଚିମ ପ୍ରାନ୍ତକୁ ଗତିକରି ଡିସେମ୍ବର ୩ ତାରିଖ ସକାଳେ ମାନ୍ନର ଉପସାଗର ଏବଂ ତତ୍ସଂଲଗ୍ନ କମୋରିନ୍ ଅଞ୍ଚଳରେ ପହଞ୍ଚିବ । ସେଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତିକରିବା ପରେ ଡିସେମ୍ବର ୪ ତାରିଖ ପ୍ରତ୍ୟୁଷରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ । କିନ୍ତୁ, ‘ବୁରେବି’ ‘ନିଭାର’ ଭଳି ଉଗ୍ର ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ପ୍ରଭାବରେ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲବେଲି, ତୁତୁକୁଣ୍ଡି, ତେନକାସି, ରାମନାଥପୁରମ୍ ଏବଂ ଶିବଗଙ୍ଗାଇ ଅଞ୍ଚଳରେ ଡିସେମ୍ବର ୨ ଓ ୩ ତାରିଖରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତିରେକେ, କେରଳର ତିରୁବନନ୍ତପୁରମ, କୋଲାମ, ପତନମତିତ୍ତ ଏବଂ ଆଲାପ୍ପୁଜାରେ ଡିସେମ୍ବର ୩ ତାରିଖ ଦିନ ପ୍ରବଳ ବର୍ଷା ହୋଇପାରେ ।