ଖେଳ

ଅଲିମ୍ପିକ୍ସ ସ୍ଥଗିତ ନିଷ୍ପତ୍ତିକୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଆନୁଷ୍ଠାନିକ ଭାବେ ସ୍ଥଗିତ ହେବା ପରେ ଏହାକୁ ବିଭିନ୍ନ ଦେଶର କ୍ରୀଡ଼ା ସଂଘ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ ବାକ୍ ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମିଳିତ ଭାବେ ମଙ୍ଗଳବାର ସନ୍ଧ୍ୟାରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଟୋକିଓ ଅଲିମ୍ପିକ୍ସ ଆୟୋଜକଙ୍କ ସମେତ ହକି ଇଣ୍ଡିଆ, ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସମର୍ଥନ କରିଛି।

ଆଇଓଏର ସେକ୍ରେଟାରୀ ଜେନେରାଲ୍ ରାଜୀବ ମେହେଟ୍ଟା କହିଛନ୍ତି, ଆଇଓସିର ନିଷ୍ପତ୍ତିକୁ ଆଇଇଏ ସ୍ୱାଗତ କରୁଛି। ଲକଡାଉନ୍ ଶେଷ ହେବା ପରେ ଆଥଲେଟିକ୍ସ, ଫେଡେରେସନ୍ ଓ ସ୍ପନସରକୁ ନେଇ ବୈଠକ ଆୟୋଜିତ ହେବ। ଆଇଓସିର ଏହି ନିଷ୍ପତ୍ତି ଦ୍ୱାରା ଆମର ଆଥଲେଟ୍ ଆଶ୍ୱସ୍ତି ହୋଇଛନ୍ତି। ସେମାନଙ୍କୁ ଏବେ ଅଭ୍ୟାସ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିବ। ସେହିପରି ହକି ଇଣ୍ଡିଆ ଟ୍ୱିଟ୍ କରି କହିଛି, ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି। ୨୦୨୧ ଆମ ପାଇଁ ଠିକ୍ ହେବ। ବର୍ଷକ ମଧ୍ୟରେ ଆମେ ଆହୁରି ମଜଭୁତ୍ ଏବଂ ଉନ୍ନତ ହୋଇ ମଇଦାନକୁ ଓହ୍ଲାଇବୁ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ଭାରତୀୟ ମହିଳା ଶଟଲର୍ ସାଇନା ନେହ୍ୱାଲ୍ କହିଛନ୍ତି, ଆଇଓସି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଯେଉଁ ଆଥଲେଟମାନେ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି ଏବଂ ଯେଉଁମାନେ ଏଯାଏ କ୍ୱାଲିଫାଏ କରିନାହାନ୍ତି, ସେମାନଙ୍କୁ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଆଶ୍ୱସ୍ତି କରିବ। ସାରା ବିଶ୍ୱରେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଆଥଲେଟ୍ ନିଜକୁ ଏବେ ସୁରକ୍ଷିତ ମନେ କରିବେ। ସୁରକ୍ଷା ହିଁ ଆମ ପାଇଁ ମୁଖ୍ୟ ପ୍ରାଥମିକତା।

ସେହିପରି ପୂର୍ବତନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, ଭାରତୀୟ ହକି ଟିମର ଗୋଲକିପର ପିଆର୍ ଶ୍ରୀଜେଶ୍‌, ଟେବୁଲ୍ ଟେନିସ୍ ତାରକା ସାଥିୟାନ୍ ଜ୍ଞାନସେକରନ୍‌, ପୂର୍ବତନ ହକି ଖେଳାଳି ବୀରେନ୍ ରସକ୍ୱିନା ଆଇଓସିର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ ଏନଓସି ଇଣ୍ଡିଆ, ୱାର୍ଲ୍ଡ ଆର୍ଚେରୀ, ଟିମ୍ କାନାଡା, ଟିମ୍ ଗ୍ରେଟ୍ ବ୍ରିଟେନ୍‌, ଟିମ୍ ୟୁଏସଏ ମଧ୍ୟ ଅଲିମ୍ପିକ୍ସ ସ୍ଥଗିତ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।



[ad_2]

Show More
Back to top button