
ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଆମେରିକୀୟ କଂପାନି ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଆଜି ବିଶ୍ୱ ଧନୀ ତାଲିକାର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟ୍ସଙ୍କୁ ସେ ପଦଚ୍ୟୁତ କରିଛନ୍ତି । ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀ ଅନୁଯାୟୀ, ଟେସ୍ଲାର ସେୟାର ମୂଲ୍ୟ ବଢ଼ିବାରୁ ମସ୍କଙ୍କ ସମ୍ପତ୍ତି ୭୨ କୋଟି ଡଲାର ବୃଦ୍ଧି ପାଇ ୧୨,୭୯୦ କୋଟି ଡଲାର ହୋଇଛି । ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୧୦୦୦ କୋଟି ଡଲାର ବୃଦ୍ଧି ହୋଇଛି ।ସେଥିପାଇଁ ଚଳିତ ବର୍ଷ ଜାନୁଆରିରେ ବିଶ୍ୱ ଧନୀ ତାଲିକାର ୩୫ତମ ସ୍ଥାନରେ ଥିବା ମସ୍କ ଏବେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି । ବିଲ୍ ଗେଟସ୍ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସବୁଠୁ ବଡ଼ ଧନୀ ଥିଲେ । ୨୦୧୭ରେ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ ତାଙ୍କୁ ପଦଚ୍ୟୁତ କରିଥିଲେ । ବିଲ୍ ଗେଟ୍ସଙ୍କୁ ମସ୍କ ଏତେଟା ପସନ୍ଦ କରନ୍ତି ନାହିଁ । ତାଙ୍କୁ ସମାଲୋଚନା କରିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଗେଟ୍ସ ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ କିଣିବା ବେଳେ ଟେସ୍ଲାକୁ ପ୍ରାଧାନ୍ୟ ଦେଇନଥିଲେ । ସେହିଦିନ ଠାରୁ ଗେଟ୍ସଙ୍କୁ ମସ୍କ ପସନ୍ଦ କରୁନଥିବା ଜଣାପଡ଼ିଛି ।