ଜାନୁଆରି ୧ରୁ ଲାଗୁ ହେବ ନିୟମ ଟେଲିକମ୍ ବିଭାଗ ପକ୍ଷରୁ


ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲ୍ ନମ୍ବରକୁ ଫୋନ୍ କରିବା ବେଳେ ପ୍ରାରମ୍ଭରୁ ‘୦ ’ (ଶୂନ) ଲଗାଇବାକୁ ପଡ଼ିବ । ଆସନ୍ତା ଜାନୁଆରି ୧ରୁ ଏହି ନୂତନ ବ୍ୟବସ୍ଥା ଲାଗୁ କରିବା ଲାଗି ବ୍ୟବସ୍ଥା କରିବାକୁ ଟେଲିକମ୍ ବିଭାଗ ପକ୍ଷରୁ ଟେଲିକମ୍ କଂପାନିଗୁଡ଼ିକୁ କୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସୁପାରିସ୍ କରିଥିଲା । ସେହି ସୁପାରିସ୍କୁ ଟେଲିକମ୍ ବିଭାଗ ଗ୍ରହଣ କରିଛି । ଲ୍ୟାଣ୍ଡ୍ଲାଇନ୍ ଓ ମୋବାଇଲ୍ ସେବା ଲାଗି ପର୍ଯ୍ୟାପ୍ତ ପରିମାଣର ନମ୍ବର ଉପଲବ୍ଧ ରଖିବା ଲାଗି ଟ୍ରାଇ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି । ଚଳିତ ବର୍ଷ ମେ’ ୨୯ରେ ଟ୍ରାଇ ଏହି ସୁପାରିସ କରିଥିଲା । ଟେଲିକମ୍ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି । ଲ୍ୟାଣ୍ଡ୍ଲାଇନ୍ ଗ୍ରାହକମାନଙ୍କୁ ଏହି ନୂତନ ବ୍ୟବସ୍ଥା ବିଷୟରେ ଅବଗତ କରିବା ଲାଗି ବ୍ୟବସ୍ଥା କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି । ଯଦି କୌଣସି ଲ୍ୟାଣ୍ଡ୍ଲାଇନ୍ ଗ୍ରାହକ ଭୁଲବଶତଃ ପ୍ରାରମ୍ଭରୁ ଶୂନ ନଲଗାଇ ମୋବାଇଲ୍କୁ ଫୋନ୍ କରନ୍ତି ତାହେଲେ ସ୍ବୟଂକ୍ରିୟ ଭାବେ ଯେଭଳି ତାଙ୍କ ପାଇଁ ନୂତନ ବ୍ୟବସ୍ଥା ବିଷୟରେ ଘୋଷଣା ହେବ କଂପାନିଗୁଡ଼ିକ ସେହି ବ୍ୟବସ୍ଥା କରିବେ ।