ପର୍ଯ୍ୟଟନରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ ଧଉଳି ଶାନ୍ତି ସ୍ତୁପର ବିକାଶ ପାଇଁ

ସତ୍ୟଶିଖା (ଭୁବନେଶ୍ୱର) ୨୪/୧୧/୨୦୨୦ : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହୋଇପଡିଥିବା ଏବଂ ଧଉଳି ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ଖୁବ୍‌ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା ଜଣାପଡିଛି । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଧଉଳି ଶାନ୍ତିସ୍ତୁପର ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ରହୁଥିବା ବୌଦ୍ଧ ସନ୍ୟାସୀମାନଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।ସୂଚନାଯୋଗ୍ୟ ଧଉଳିର ବିକାଶ ପାଇଁ ୨୦୦୨ ମସିହାରୁ ଧଉଳି ଉନ୍ନୟନ କମିଟି (ଡିଡିସି) ଗଠିତ ହୋଇଥିଲେ ମଧ୍ୟ କମିଟି ଦ୍ୱାର ସ୍ତୂପ ଉପେକ୍ଷିତ ହେଉଥିଲା । ଅନ୍ୟପକ୍ଷରେ କଳିଙ୍ଗ ନିପୋନ ସଂଘ ସ୍ତୂପ ମରାମତି ଦାୟିତ୍ବ ତୁଲାଉଥିଲେ ମଧ୍ୟ ଗତ ଫଣି ବାତ୍ୟା ଠାରୁ ଏହା ଉପରେ ଧ୍ୟାନ ଦେଉନଥିଲା । ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହେବା ନେଇ ‘ସମାଜ’ରେ ସୁରକ୍ଷା ଲୋଡୁଛି ଶାନ୍ତିସ୍ତୂପ ଶୀର୍ଷକ ଖବର ପ୍ରକାଶ ପାଇଥିଲା ।ଏହାପରେ ଧଉଳି ଶାନ୍ତିସ୍ତୂପର ସୁରକ୍ଷା ସମ୍ପର୍କୀତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ନଭେମ୍ବର ୨୧ ତାରିଖ ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଧଉଳି ଉନ୍ନୟନ କମିଟି( ଡିଡିସି) ଓ କଳିଙ୍ଗ ନିପୋନ ବୁଦ୍ଧ ସଂଘକୁ ନେଇ ଜରୁରୀକାଳୀନ ବୈଠକ ଡକାଯାଇଥିଲା ।ଜିଲାପାଳ ଡିଡିସିର ବୈଠକ ଡାକି ତୁରନ୍ତ ସ୍ତୂପ ମରାମତି କରିବାକୁ ଡିଡିସିକୁ ଅନୁମତି ଦେଇଥିଲେ । ସ୍ତୂପ ମରାମତି ଖର୍ଚ୍ଚ ଡିଡିସି ପାଣ୍ଠିରୁ ଖର୍ଚ୍ଚ କରାଯିବ । ଓଟିଡିସି ଇଞ୍ଜିନୟରଙ୍କ ଦ୍ୱାରା ମରାମତି ଲାଗି ଏଷ୍ଟିମେଟ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏହାବ୍ୟତୀତ ସ୍ତୂପ ଉପରେ ଦୀର୍ଘବର୍ଷ ଧରି ବ୍ୟବସାୟ କରି ଚଳୁଥିବା ଦୋକାନୀଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ଦୋକାନ ଗୁଡିକୁ ନବୀକରଣ କରାଯିବ । ଧଉଳି ପଞ୍ଚାୟତ ନୂଆ ଦୋକାନ ଗୃହ ନିର୍ମାଣ ପାଇଁ ଡିଡିସି ପାଣ୍ଠିରୁ ପାଇବାକୁ ଥିବା ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବ ।ଅଧିକ ଅର୍ଥ ଆବଶ୍ୟକ ହେଲେ ସ୍ଥାନୀୟ ବିଧାୟକ ତାଙ୍କ ବିଧାୟକ ପାଣ୍ଠିରୁ ଯୋଗାଇ ଦେବେ ବୋଲି ବୈଠକରେ ନିଷ୍ପତ୍ତି କରାଯାଇଥିଲା ।

Show More
Back to top button