ଗୋଟିଏ କିସ୍ତିରେ ବିଜୟାଦଶମୀ ପୂର୍ବରୁ ମିଳିବ ବୋନସ୍

ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦: ପାର୍ବଣ ଋତୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କର୍ମଚାରୀଙ୍କୁ ଦୀପାବଳି ଭେଟି । ମୋଦୀ ସରକାର ଦୀପାବଳି ପୂର୍ବରୁ ୩୦ ଲକ୍ଷ ଅଣ ଗେଜେଟ୍ ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏଥିରେ ସରକାରଙ୍କ ଉପରେ ୩,୭୩୭ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ ।
ବିଜୟାଦଶମୀ କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ୩୭୩୭ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବା ଆରମ୍ଭ କରି ଦେବେ । କର୍ମଚାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଗୋଟିଏ କିସ୍ତିରେ ହିଁ ବୋନସ୍ ଦେବେ । ମନ୍ତ୍ରୀ କହିଛନ୍ତି କେନ୍ଦ୍ର କର୍ମଚାରୀ, ରେଲଓ୍ଵେ, ଡାକଘର, ପ୍ରତିରକ୍ଷା ଉତ୍ପାଦ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ଓ ରାଜ୍ୟ ବୀମା ନିଗମର କର୍ମଚାରୀଙ୍କୁ ଏହାର ଲାଭ ମିଳିବ ।
ଜାଭେଦକର କହିଛନ୍ତି ଜନକଲ୍ୟାଣର ଅନେକ ଆଇନ ଭାରତରେ ଥାଇ ବି ଜାମ୍ମୁ-କାଶ୍ମୀର ଉପରେ ଲାଗୁ ହେଉନଥିଲା । ଆଜି ସେହି ନିର୍ଣ୍ଣୟ ଉପରେ ମୋହର ବାଜିଛି । ଏବେ ଜିଲ୍ଲା ବିକାଶ ପରିଷଦର ସିଧାସଳଖ ନିର୍ବାଚନ ହୋଇ ଜନପ୍ରତିନିଧିଙ୍କ ହାତରେ କ୍ଷମତା ଆସିବ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଏମିତି ତ୍ରିସ୍ତରୀୟ ବ୍ୟବସ୍ଥା ପଞ୍ଚାୟତ ଆଇନ ଆଧାରରେ କାଶ୍ମୀରରେ ମଧ୍ୟ ଲାଗୁ ହେବ ।
ଉଲ୍ଲେଖନୀୟ ଏହା ପୂର୍ବରୁ କେନ୍ଦ୍ର ସରକାର ନିକଟରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପାର୍ବଣ ଅବସରରେ ୧୦ ହଜାର ଟଙ୍କାର ସୁଧ ମୁକ୍ତ ଅଗ୍ରୀମ ଦେବାକୁ ନିଷ୍ପତ୍ତି ନେଇଥିଲେ । ଉପଭୋକ୍ତାଙ୍କ ଖର୍ଚ୍ଚ ବଢାଇ ଅର୍ଥବ୍ୟବସ୍ଥାରେ ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଉଠାଇଥିଲେ ।






