ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଆସୁଛି ଆଉ ଏକ ଲଘୁଚାପ ସତର୍କ ରହିବାକୁ ନିର୍ଦ୍ଦେଶ

ସତ୍ୟଶିଖା (ଭୁବନେଶ୍ୱର) ୧୭/୧୦/୨୦୨୦ : ଗୋଟିଏ ଲଘୁଚାପ ବର୍ଷା ନଯାଉଣୁ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ମାନକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ସେପଟେ ଏହାକୁ ନଜରରେ ରଖି ସମ୍ପୃକ୍ତ ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ଆର୍ ସି ।ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୯ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ଏହାର ପ୍ରଭାବରେ ଆସନ୍ତା ୧୯-୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଆସନ୍ତା ଦୁଇଦିନ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୧୯ରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।୨୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, କୋରାପୁଟର ଅଧିକାଂଶ ଜାଗାରେ ବର୍ଷା ହେବ । ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅୂଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ୨୧ରେ ବି ବର୍ଷା ଲାଗି ରହିବ।ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସେହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର  ନିର୍ଦ୍ଦେଶକ  ଡକ୍ଟର  ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ସମ୍ଭବତଃ ୧୮ ତାରିଖ ରାତି କିମ୍ବା ୧୯ ତାରିଖ ସକାଳୁ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୨୧ ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ । ଏହି ଲଘୁଚାପ ଯିବା ପରେ ବି ରାଜ୍ୟରେ ବର୍ଷା ଜାରି ରହିବ । ଏହା ପରେ ଟ୍ରଫଲାଇନ୍‌ ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୭ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ । ୧୮ରେ ଏହା ସଂଗଠିତ ହୋଇ ଉତ୍ତର-ଦକ୍ଷିଣ ଦିଗରେ ଓଡ଼ିଶାରୁ ଆନ୍ଧ୍ର ଉପକୂଳ ପର୍ଯ୍ୟନ୍ତ ବିସ୍ତୃତ ରହିବ । ୧୯ରେ ଲଘୁଚାପ ରୂପ ନେବା ସହ ମଛଲିପଟଣମ୍‌ ଉପକୂଳ ନିକଟରେ ରହିବ । ସମ୍ଭବତଃ ଏହା ଅବପାତରେ ପରିଣତ ହୋଇପାରେ । ୨୦ରେ ଏହା କାକିନାଡ଼ା ଓ ମଛଲିପଟଣମ୍‌ ମଝିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ । ତେଣୁ ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ ପୁଣି ଭାରି ବର୍ଷାର ସମ୍ଭାବନା ଅଛି ।ଅନୁମାନ କରାଯାଉଛି, ଆସନ୍ତା ୧୮ରୁ ରାଜ୍ୟରେ ବର୍ଷା ବଢ଼ିବ । ୧୯ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବ । ୧୯ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ଚିଲିକା ଦକ୍ଷିଣରେ ବିଶେଷ କରି ଗଞ୍ଜାମରେ ଭାରି ବର୍ଷା ହୋଇପାରେ । ଉତ୍ତର ଉପକୂଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୦ରେ ସାରା ଉପକୂଳ ଓ ସଂଲଗ୍ନରେ ବର୍ଷା ବଢ଼ିବ । ସମୁଦ୍ର ନିକଟବର୍ତ୍ତୀ ଜଗତସିଂହପୁର, ପୁରୀ, ଗଞ୍ଜାମରେ ବିସ୍ତୃତ ଭାରି ବର୍ଷା ସମ୍ଭାବନା ଅଛି । ପାଖ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ରେ ଭଦ୍ରକ, ବାଲେଶ୍ୱରରେ ବର୍ଷା ବଢ଼ିବ । ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ ।ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସ୍‌ଆର୍‌ସି ଶ୍ରୀ ଜେନା ବିଭିନ୍ନ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଯେଉଁ ସବୁ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଅଛି, ସେଠାରେ ନଦୀ ଫୁଲିପାରେ । ଭୂସ୍ଖଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ବନ୍ୟା ଜଳ, ପାଣି ଜମିବା ଓ ପାହାଡ଼ ଧସିବା ନେଇ ଦକ୍ଷିଣ ଓଡ଼ିଶାରେ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତ ଓ ସଜାଗ ରହିବାକୁ ହେବ । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

Show More
Back to top button