ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଆସିବ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ : ଲାଗିରହିବ ବର୍ଷା

ସତ୍ୟଶିଖା (ଭୁବନେଶ୍ୱର) ୧୪/୧୦/୨୦୨୦ : ଅକ୍ଟୋବରରେ ଛାଡ଼ିବନି ବର୍ଷା । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଆସିବ । ଯାହାକି ରାଜ୍ୟରେ ବର୍ଷା କରାଇବ । ଏଥିପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଲାବେଳକୁ ମାସର ଶେଷ ସପ୍ତାହ ହୋଇଯିବ । ଏଭଳି ଆକଳନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ପାଣିପାଗ ବିଭାଗ ଅନୁଯାୟୀ, ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଅବପାତ ଆନ୍ଧ୍ରର କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁଛି । ଏବେ ଏହା ତେଲେଙ୍ଗାନା ଉପରେ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବୁଧବାରଠାରୁ ବଡ଼ ବର୍ଷାର ସମ୍ଭାବନା ନାହିଁ । ତଥାପି ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ ।ପାଣିପାଗ ବିଶେଷଜ୍ଞ ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ସକ୍ରିୟ ଥିବା ଅବପାତ ତେଲେଙ୍ଗାନା ଉପରୁ ପଶ୍ଚିମ ଆଡ଼କୁ ଗତି କରୁଛି । ଏହାର ପ୍ରଭାବ ରାଜ୍ୟ ଉପରେ ଜାରି ରହିବ । ଏହା ପଛକୁ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହାଦ୍ୱାରା ରାଜ୍ୟରେ ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଅନୁମାନ କରାଯାଉଛି, ୧୪ ତାରିଖରେ ଭୁବନେଶ୍ୱର ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମରୁ ପ୍ରାୟତଃ ଭାରି (୬୫ ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି ।ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ ଆଉ କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ, ୧୫ରେ ବର୍ଷା କମିଯିବ । ୧୬ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । କେତେକ ମଡେଲ୍‌ କହୁଛି, ୧୬ ତାରିଖରେ ଓ ୨୩ ତାରିଖରେ ପୃଥକ ପୃଥକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବ । ଆଉ କେତେକ ମଡେଲ୍‌ କହୁଛି, ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ । ଲଘୁଚାପ ହେଉ କି ନ ହେଉ, ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ।ଚଳିତ ମାସର ତୃତୀୟ ସପ୍ତାହରେ (୧୪-୨୧ ତାରିଖ) ଉପକୂଳ ଜିଲ୍ଲାରେ ହାରାହାରି ୭୦ ମିମି ବର୍ଷା ହୋଇପାରେ । ବାକି ଅଞ୍ଚଳରେ ସ୍ପଳ୍ପରୁ ମଧ୍ୟମ (୪୫ ମିମି ପର୍ଯ୍ୟନ୍ତ) ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ବର୍ଷା ରହିବ । ଉତ୍ତର ଆଭ୍ୟନ୍ତରୀଣରେ ୧୯ରୁ ୨୨ ତାରିଖ ଭିତରେ ମଧ୍ୟମ ଧରଣର ବର୍ଷା (୩୦ ମିମି) ପର୍ଯ୍ୟନ୍ତ ହୋଇପାରେ । ଚତୁର୍ଥ ସପ୍ତାହରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସମୁଦାୟ ବର୍ଷା ୬୫ ମିମି ଏହାର ସମ୍ଭାବନା ଅଛି।ଅନୁମାନ କରାଯାଉଛି, ରାଜ୍ୟରେ ବର୍ଷାର ପରିମାଣ କିଛି ମାତ୍ରାରେ କମିବ । ତେବେ ପାଗ ପୂରା ଶୁଖିଲା ରହିବ ନାହିଁ । ୧୪ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୫ରେ ରାଜ୍ୟର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୭ରେ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ରାଜ୍ୟରେ ଏବେ ଲଗାଣ ବର୍ଷା ସମ୍ଭାବନା ନାହିଁ । ତଥାପି ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ । ୧୭ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ୨୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ସାମାନ୍ୟ ବଢ଼ିପାରେ ।

Show More
Back to top button