ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୧ ତାରିଖରୁ ପ୍ରବଳ ବର୍ଷା l

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୦.୨୦୨୦ : ଗୋଟିଏ ଲଘୁଚାପ ଯାଇଛି। ପୁଣି ଆଉ ଗୋଟିଏ ଦାନା ବାନ୍ଧୁଛି । ଆସନ୍ତା ୯ ତାରିଖବେଳକୁ ଲଘୁଚାପ ରୂପ ନେବ । ଏହା ପରେ ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସମ୍ଭାବ୍ୟ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଚଳିତ ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ଦ୍ୱିତୀୟ ଲଘୁଚାପ ନେଇ ଏବେଠାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆସନ୍ତା ୧୧ ତାରିଖରୁ ଯେଉଁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପାଣିପାଗ ବିଭାଗ କହିଛି, ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଅବପାତ (ଡିପ୍ରେସନ୍) ଅବସ୍ଥାରେ ସ୍ଥଳଭାଗକୁ ପ୍ରବେଶ କରିବ । ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୦ ତାରିଖରୁ ପାଗ ବଦଳିବା ସହ ବର୍ଷା ହେବ । ୧୧ରୁ ବର୍ଷା ବଢ଼ିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ । ୧୩ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ୧୧ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।
ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ବି ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ଯୋଗୁ ସେଇ ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ତେଣୁ ୧୦ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।
କୃଷି ପାଣିପାଗବିତ୍ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦାନା ବାନ୍ଧୁଥିବା ଚଳିତ ମାସର ଦ୍ୱିତୀୟ ଲଘୁଚାପ ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ । ୧୨ ତାରିଖ ରାତି କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ବିଶାଖାପାଟଣାର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ପାଗ ବଦଳିବ । ୧୧ରୁ ୧୪ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ପଶ୍ଚିମ ଓଡ଼ିଶା ବ୍ୟତିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ପୁରୀ, ଗଞ୍ଜାମ, ନୟାଗଡ଼ରେ ସବୁଠୁ ଅଧିକ ବର୍ଷା ହେବ । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଢେଙ୍କାନାଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ପୁଣି ଅକ୍ଟୋବର ତୃତୀୟ ସପ୍ତାହରେ ସେଇ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଯାହାକି ଓଡ଼ିଶାରେ ବେଶି ବର୍ଷା କରାଇବା ସମ୍ଭାବନା ଅଛି ।