
ସତ୍ୟଶିକ୍ଷା ୨୮.୦୯.୨୦୨୦ : କରୋନା ସାଧାରଣ ଜୀବନକୁ ଦହଗଞ୍ଜ କରି ପକାଇଛି । ଦୀର୍ଘ ୭ ମାସ ହେଲା କରୋନା ଜ୍ଵାଳାରୁ ମୁକୁଳି ପାରୁନାହିଁ ମଣିଷ । କରୋନା ପାଇଁ ସମଗ୍ର ବିଶ୍ୱରେ ହାହାକାର ପଡ଼ିଥିବା ବିଚିତ୍ର ସ୍ଥିତି ଉପୁଜିଛି କନ୍ଧମାଳରେ । ଗଂଜେଇ ମାଫିଆଙ୍କ ଆଖିରେ ନିଦ ନାହିଁ କି ଚାଲାଣକାରୀଙ୍କୁ ତର ନାହିଁ । ଏପଟେ କ୍ୱାରାଣ୍ଟିନ୍ରେ କନ୍ଧମାଳ ପୁଲିସ ଓ ଅବକାରୀ ବିଭାଗ । ଗଲା ତିନି ସପ୍ତାହ ହେଲା କନ୍ଧମାଳରେ ଯାଞ୍ଚ୍ କରିବାକୁ ନା ପୁଲିସ ଅଛନ୍ତି, ନା ଧରପଗଡ଼ ହେଉଛି । ଯାହା ଫଳରେ ଗଂଜେଇ ମାଫିଆଙ୍କ ପାଇଁ ଏହା ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ବଡ଼ ମଉକା ହାତଛଡ଼ା ନ କରି ଗଂଜେଇ ଚାଲାଣରେ ଲାଗି ପଡ଼ିଛନ୍ତି ମାଫିଆ । କନ୍ଧମାଳର ୭୦ ପ୍ରତିଶତରୁ ଅଧିକ ପୁଲିସ କରୋନାରେ ସଂକ୍ରମିତ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହେଲେଣି । ଅନେକ ଏବେ ବି ହୋମ୍ କ୍ୱାରାଣ୍ଟିନ୍ରେ । କରୋନା ୩ ପୁଲିସ ଯୋଦ୍ଧାଙ୍କ ଜୀବନ ନେଲାଣି । ଏହାର ଭରପୂର ସୁଯୋଗ ଉଠାଉଛନ୍ତି ଗଞ୍ଜେଇ ମାଫିଆ । ଯେମିତି ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ଏବେ ପୁଷମାସ ଚାଲିଛି ।ଫୁଲବାଣୀ ଟାଉନ ଥାନା, ଫିରିଙ୍ଗିଆ, ଘୁ.ଉଦୟଗିରି, ରାଇକିଆ, କ.ନୂଆଗାଁ, ଟିକାବାଲି ଭଳି ବହୁ ଥାନାରେ କରୋନା ପାଇଁ କର୍ମଚାରୀ ଅଭାବ ରହିଛି । କେଉଁଠି ଜଣେ ଏଏସ୍ଆଇ ଥାନା ଜଗୁଛି ତ, ଆଉ କେଉଁଠି କନେଷ୍ଟବଳ ଦ୍ୱାରା ଥାନା ଚାଲିଛି । ବିଶେଷତଃ ଗଞ୍ଜେଇ ଚାଲାଣ ରୋକିବାରେ ଅଧିକ ଭୂମିକା ଥିବା ଫିରିଙ୍ଗିଆ ଥାନାରେ ମାତ୍ର ଜଣେ ଏଏସ୍ଆଇ ଥାନା ଜଗୁଥିବା ବେଳେ ବାକି ସମସ୍ତେ କରୋନା ସଂକ୍ରମିତ । ଏପଟେ ଅବକାରୀ ବିଭାଗରେ ବି କର୍ମଚାରୀ ନାହାନ୍ତି । ବାକି ପୁଲିସ ହେଉ କି ଅବକାରୀ, ଯିଏ ବି ସୁସ୍ଥ ଅଛନ୍ତି ସେମାନେ କରୋନା ଭୟରେ ବାହାରକୁ ଯିବାକୁ ଭୟ କରୁଛନ୍ତି ।
କେବଳ ଥାନା ଓ ଅଫିସରେ ବସି କାଗଜପତ୍ର କାମ କରିବା ସାର ହେଉଛି । ଏଭଳି ସ୍ଥଳେ ଗଞ୍ଜେ ଚାଲାଣ ରୋକିବାକୁ କେହି ନାହାନ୍ତି । ଏତିକି ବେଳେ ମାଫିଆ କାର୍ ହେଉ କି ବୋଲେରୋ, ୩ ସପ୍ତାହ ହେଲା ରୀତିମତ କନ୍ଧମାଳରୁ ଗଂଜେଇ ଚାଲାଣ ହେଉଛି। ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବହୁ ଦାମିକା କାର୍, ଚାରିଚକିଆ ଯାନ ଗଞ୍ଜେଇ ଲୋଡ଼୍ କରି ମାଳମାଳ ଚାଲୁଛନ୍ତି ଭୁବନେଶ୍ୱର ଓ ଅନ୍ୟ ଅଞ୍ଚଳକୁ । ଗାଡ଼ି ସବୁ ଏଭଳି ଦ୍ରୁତ ଗତିରେ ଯାଉଛି ଯେ ତାକୁ ଅଟକାଇବା ଏତେଟା ସହଜ ନୁହେଁ । ସ୍ଵଳ୍ପ କର୍ମଚାରୀ ଜୀବନ ଭୟରେ ରିସ୍କ ନେବାକୁ ଚାହୁଁ ନାହାନ୍ତି ।
ସପ୍ତାହ ପୂର୍ବେ ବିଳମ୍ବିତ ରାତିରେ ଏକ ଦାମିକା କାର୍ରେ ଗଞ୍ଜେଇ ଭୁବନେଶ୍ୱର ଚାଲାଣ ହେଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଓ ଅବକାରୀ ବିଭାଗ ମିଳିତ ହୋଇ କାରକୁ ଧରିବାକୁ ଉଦ୍ୟମ କରିଥିଲେ । କାରକୁ ଅଟକିବା ପାଇଁ ରାସ୍ତାରେ ୩ଟି ଗାଡ଼ି ରଖିଲେ । ହେଲେ ଡ୍ରାଇଭର ୩ଟି ଗାଡ଼ିକୁ ଧକ୍କା ଦେଇ କାର୍ ନେବାକୁ ଉଦ୍ୟମ କରିଥିଲା । ଏଥିରେ ପୁଲିସ ଓ ଅବକାରୀ ବିଭାଗର ୩ଟି ଗାଡ଼ି ନଷ୍ଟ ହୋଇଥିଲା ସତ ଗଂଜେଇ ଭର୍ତ୍ତି କାରକୁ ଠାବ କରାଯାଇଥିଲା । ଆଉ ଜଣେ ଦୌଡ଼ି ପଳାଇ ଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିଲା । ହେଲେ ଏହି ଘଟଣାରେ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ଖୁବ ଭୟଭୀତ ହୋଇ ପଡିଥିବା ବେଳେ ଆଉ ଚଢ଼ଉ କରିବାକୁ ଯାଉ ନଥିବା ଜଣା ପଡ଼ିଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ କନ୍ଧମାଳରୁ ୨୦ରୁ ୨୫ଟି ଗାଡ଼ିରେ ଭୁବନେଶ୍ୱରକୁ ଗଂଜେଇ ଚାଲାଣ ହେଉଛି । କରୋନା ପୁଲିସର ହାତ ବାନ୍ଧି ଦେଇଥିବା ବେଳେ ଗଂଜେଇ ମାଫିଆଙ୍କୁ ମିଳିଥିବା ସୂବର୍ଣ୍ଣ ସୁଯୋଗର କେବେ ଅନ୍ତ ଘଟୁଛି ତାହା ଦେଖିବାର କଥା ।