

ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୦୯.୨୦୨୦ : କରୋନା ମହାମାରୀ ମଧ୍ୟରେ ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ଚୀନ ସହ ଚାଲିଥିବା ସୀମା ବିବାଦ ଉପରେ ସଂସଦରେ ସନ୍ଦେଶ ଦେଇଥିଲେ । ସଂସଦରେ ବସିଥିବା ସମସ୍ତ ସଦସ୍ୟ ଏକଜୁଟ ହୋଇ ଦେଶର ବୀର ଯବାନଙ୍କ ସହ ଏକଜୁଟ ହୋଇ ଛିଡା ହେବାକୁ ସନ୍ଦେଶ ଦେବେ ବୋଲି ସେ ଆଶା କରିଛନ୍ତି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଥିଲେ ଯେ, ‘ଦେଶର ବୀର ଯବାନ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଦାୟିତ୍ୱ କରୁଛନ୍ତି । ସାହସ, ମନୋବଳ ଓ ଦୃଢ ବିଶ୍ୱାସର ସହ ଦୁର୍ଗମ ପାହାଡ ଉପରେ ଦେଶର ସୁରକ୍ଷା କରୁଛନ୍ତି । କିଛି ଦିନ ପରେ ପାଣିପାଗ ବଦଳିବ, ତୁଷାରପାତ ହେବ, ତଥାପି ଯବାନ ସୀମାରେ ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି । ଯେଉଁ ବିଶ୍ୱାସର ସହ ଯବାନ ମାତୃଭୂମିର ରକ୍ଷା କରୁଛନ୍ତି, ତାଙ୍କ ପାଇଁ ଏକ ଭାବନା, ଏକ ସଂକଳ୍ପ, ଏକ ଉଦ୍ଧେଶ୍ୟରେ ସଂସଦରେ ସଦସ୍ୟ ଯବାନଙ୍କ ପାଇଁ ଗୋଟିଏ ସ୍ୱରରେ ଛିଡା ହେବେ ବୋଲି ମୁଁ ଆଶା କରୁଛି ।’