

ସତ୍ୟଶିଖା ୧୧ .୦୯.୨୦୨୦ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ଓ ବିଏଡ୍ ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥର ପରୀକ୍ଷା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କରାଯିବ । ଛାତ୍ରୀମାନେ କେଉଁ ମାଧ୍ୟମରେ ପରୀକ୍ଷା ଦେବେ ସେ ନେଇ ବିଶ୍ୱବିଦ୍ୟାଳୟକୁ ଅବଗତ କରିବେ । ତେବେ କେବେ ସୁଦ୍ଧା ଅବଗତ କରିବେ ସେନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ବିଶ୍ୱବିଦ୍ୟାଳୟ ସମେତ ଏହା ଅଧୀନ ୯ ଜିଲ୍ଲାର ୪୮ ମହିଳା ମହାବିଦ୍ୟାଳୟ ପାଇଁ ଏକା ସମୟରେ ପରୀକ୍ଷା ଅନୁଷ୍ଠିତ ହେବ। ୟୁଜି ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ୨୪ ତାରିଖରେ ଅନର୍ସ ଛାତ୍ରୀମାନେ ଇଲେକ୍ଟିଭ ବିଷୟର ଆସାଇନମେଣ୍ଟ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଦାଖଲ କରିପାରିବେ । ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ୟୁଜି ଥିଓରି ଶେଷ ତଥା ଷଷ୍ଠ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ପିଜି ଅନ୍ତିମ ତଥା ଚତୁର୍ଥ ସେମିଷ୍ଟର ଏମ୍.ଏସ୍ସି ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବ। ୨୫ ତାରିଖରେ ପିଜି ଛାତ୍ରୀ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିବେ । ୨୮ ତାରିଖରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ବିଏଡ୍ ଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ୨୧ ଓ ୨୪ରେ ଅନୁଷ୍ଠିତ ହେବ ଏବଂ ୩୦ ତାରିଖରେ ଛାତ୍ରୀମାନେ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିପାରିବେ ।
କୋଭିଡ୍-୧୯ ନିୟମ ଅନୁଯାୟୀ ପରୀକ୍ଷା କରାଯିବ । ପରୀକ୍ଷାର ସମୟ ସୀମା ଏକ ଘଣ୍ଟା ରହିବ। ପରୀକ୍ଷା ପୂର୍ବରୁ ଗବେଷଣାଗାର ଓ ଶ୍ରେଣୀଗୃହ ବିଶୋଧନ ହେବ। ପରୀକ୍ଷା ସମୟରେ ସାମାଜିକ ଦୂରତା ରଖାଯିବା ସହ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ପରୀକ୍ଷା ତାରିଖ ଘୋଷଣା ନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋରଙ୍କ ଦସ୍ତଖତ ଥିବା ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେ କିଛି ଜାଣି ନ ଥିବା ଗଣମାଧ୍ୟମକୁ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ବିଜ୍ଞପ୍ତିକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ ମାଧ୍ୟମରେ ସେମାନେ ପରୀକ୍ଷା ଦେବେ ସେନେଇ କେବେ ସୁଦ୍ଧା ଜଣାଇବା ବିଷୟରେ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । କେଉଁଭଳି ପ୍ରଶ୍ନ ଆସିବ(ସଂକ୍ଷିପ୍ତ କିମ୍ବା ଦୀର୍ଘ) ତାହାକୁ ନେଇ ଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି । ହଜାର ହଜାର ଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଚୁପ୍ ରହିବା ପରୀକ୍ଷାର ସଫଳ ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।