ଗାଁରେ ପହଂଚିଲା ମରଦେହ : ସହିଦଙ୍କୁ ଝୁରୁଛି ଜନ୍ମମାଟି, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ l


ସତ୍ୟଶିଖା ୧୧ .୦୯.୨୦୨୦ : କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କି ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍ ହୋଇଥିଲେ। ୨ ଜଣଙ୍କ ହେଉଛନ୍ତି, କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସ୍ଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର ଟୁଡୁ (୨୮)। ଦୁହିଁଙ୍କ ମୃତ୍ୟୁରେ ନିଜନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି । ଦେବାଶିଷଙ୍କ ବନ୍ଧୁବତ୍ସଳତା, ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ଗ୍ରାମବାସୀ ବି ସହିଦ୍ ପୁଅ ପାଇଁ ସୁଧୀରଙ୍କ ଗାଁ ଲୋକ ଲୁହ ଗଡ଼ାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାତି ସାଢ଼େ ୮ଟାବେଳେ ତାଙ୍କ ମରଶରୀର ଗାଁରେ ପହଞ୍ଚିଥିଲା ।
ବହୁ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀସହୋଦରଙ୍କ କାନ୍ଦବୋବାଳିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ‘ଦେବାଶିଷ ଅମର ରହେ , ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ଧ୍ୱନିରେ ସମଗ୍ର ଅଂଚଳ ଉଛୁଳି ଉଠିଥିଲା । ଅଙ୍ଗପଡ଼ା ଗାଁର ସନାତନ ସେଠୀଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଦେବାଶିଷ । ଦେବାଶିଷ ୮ ବର୍ଷ ହେଲା ଏସ୍ଓଜି ଯବାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମେ ସେ ରାଉରକେଲାରେ ନିଯୁକ୍ତି ପାଇଥିଲେ ।
ଚାକିରି ପରେ ପରିବାରର ମୁଖ୍ୟ ଅବଲମ୍ବନ ପାଲଟିଥିଲେ ଦେବାଶିଷ । ରୋଜଗାରିଆ ପୁଅକୁ ହରାଇ ବାପା, ମାଆ ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି । ଜଣେ ଦକ୍ଷ ପୁଲିସ ଯବାନ ଭାବେ ଗତବର୍ଷ ସେ କଳାହାଣ୍ଡି ପୁଲିସ ଅଧୀକ୍ଷକଙ୍କଠାରୁ ପଦକ ଲାଭ କରିଥିଲେ । ୮ ମାସ ତଳେ ଗାଁକୁ ଆସି ୫ ଦିନ ରହି ଫେରିଥିଲେ । ୩ ଦିନ ତଳେ ଗାଁର ଜଣେ ସାଙ୍ଗଙ୍କୁ ଫୋନ୍ କରି ଅଞ୍ଚଳର ଭଲମନ୍ଦ କଥା ପଚାରି ବୁଝିଥିଲେ । ତାଙ୍କର ପରଲୋକ ଖବର ପାଇବା ପରେ ଗ୍ରାମବାସୀ ଶୋକାକୁଳିତ ହୋଇପଡ଼ିଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଓ ପୂର୍ବତନମନ୍ତ୍ରୀ ସଂଜୀବ ସାହୁ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସକାଳେ ତାଙ୍କ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ସୂଚନା ଦେଇଛନ୍ତି । କଳାହାଣ୍ଡି ପୁଲିସ ପ୍ରଶାସନ ପକ୍ଷରୁ ସହିଦଙ୍କ ପରିବାରକୁ ୭୦ ହଜାର ଟଙ୍କାର ସହାୟତା ଦିଆଯାଇଥିବା ଶ୍ରୀ ଉଦ୍ଗାତା ପ୍ରକାଶ କରିଛନ୍ତି ।