ଦେଶନ୍ୟୁଜ୍ବିଦେଶସ୍ୱାସ୍ଥ୍ୟ

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ l

ସତ୍ୟଶିଖା ୧୦ .୦୯.୨୦୨୦ : କରୋନା କାଳରେ ବଢି ଚାଲିଛି ଆତ୍ମହତ୍ୟା ପ୍ରବଣତା । ଏବଂ ଏହାର ଅଧିକ ଶିକାର ହେଉଛନ୍ତି ଯୁବବର୍ଗ । ସେପ୍ଟେମ୍ବର ୧୦ରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ ହେଉଥିବା ବେଳେ ଏଭଳି ତଥ୍ୟ ସାମନାକୁ ଆସିଛି । ଏଭଳି ସ୍ଥିତି ପାଇଁ ଚଳିତବର୍ଷ ବିଶ୍ୱ ସ୍ୱlସ୍ଥ୍ୟ ସଂଗଠନ ଏହି ଦିନର ଶୀର୍ଷକ ରଖିଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା’ । କିନ୍ତୁ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ବଢିଚାଲିଛି ଆତ୍ମହତ୍ୟା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା । ଜାତୀୟ ହାରଠାରୁ ଓଡିଶାର ଆତ୍ମହତ୍ୟାଜନିତ ମୃତ୍ୟୁ ହାର ବି ଅଧିକ। ୨୦୧୯ରେ ଭାରତରେ ୧ଲକ୍ଷ ୪୦ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ ଓଡିଶାରେ ସେହି ସମୟରେ ୪୫ଶହ ଲୋକ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ୍‌ ପ୍ରତିଦିନ ୧୨ରୁ ୧୩ ଜଣ ଆତ୍ମହତ୍ୟା କରୁଛନ୍ତି । ଭାରତରେ ପ୍ରତିଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବାବେଳେ ପ୍ରତି ଘଣ୍ଟା ହାରାହାରି ଭାବେ ୧୬ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି ।

ଜନସଂଖ୍ୟା ଦୃଷ୍ଟିରୁ ଦେଶରେ ଆତ୍ମହତ୍ୟା ହାର ୧୦. ୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ସେହି ହାର ରହିଛି ୧୦.୫ ପ୍ରତିଶତ । ଚଳିତବର୍ଷ କିନ୍ତୁ କରୋନା ଜନିତ ସ୍ଥିତି ରାଜ୍ୟ, ଦେଶ ଏମିତିକି ସାରାବିଶ୍ୱରେ ଆତ୍ମହତ୍ୟା ହାର ବୃଦ୍ଧି କରିଛି । ଏହି ସମୟରେ ଡିପ୍ରେସନ୍‌, ମାନସିକ ରୋଗ ବି ବଢିଛି । ବିଶେଷକରି ୧୫ରୁ ୩୦ ବର୍ଷର ଯୁବକ/ଯୁବତୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ରହିଛି । ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ପ୍ରତି ବର୍ଷ ବିଶ୍ୱରେ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି ।

“କରୋନା କାଳରେ ବଢ଼ୁଛି ଆତ୍ମହତ୍ୟା”

“ଜାତୀୟ ହାରଠୁ ବି ଓଡିଶା ଆଗରେ; ଅଧିକ ଶିକାର ଯୁବବର୍ଗ”

ଏସ୍‌ସିବି ମାନସିକ ସ୍ୱlସ୍ଥ୍ୟ ପ୍ରତିଷ୍ଠାନକୁ ବର୍ଷକୁ ୧୭ରୁ ୧୮ହଜାର ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ । ସେଥିରୁ ପ୍ରତିବର୍ଷ ୫୦/୬୦ଜଣ ମାନସିକ ରୋଗୀ ଆତ୍ମହତ୍ୟା କରୁଥିବା ବେଳେ ୨ ଶହରୁ ୩ଶହ ରୋଗୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ଏକ ତଥ୍ୟରୁ ଜଣାପଡିଛି । ଚିକିତ୍ସା ପାଇଁ ଆସୁଥିବା ପ୍ରତି ଶହେ ରୋଗୀରେ ୫ଜଣଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଥିବା ବିଶେଷଜ୍ଞ ମତ ଦେଇଛନ୍ତି । କିନ୍ତୁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଏବଂ ଅନେକ ଲୋକ ଜୀବିକା ତଥା ଉପାର୍ଜନର ପନ୍ଥା ହରାଇଥିବାରୁ ଏବେ ଆତ୍ମହତ୍ୟା, ମାନସିକ ବିଶାଦ ବଢିବା ସହିତ ସୁସ୍ଥ ହୋଇ ଆସୁଥିବା ପୁରୁଣା ମାନସିକ ରୋଗୀଙ୍କ ଅବସ୍ଥା ବି ଜଟିଳ ହେଉଛି ।

Show More
Back to top button