ନ୍ୟୁଜ୍ରାଜ୍ୟ

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଅମାନିଆଙ୍କୁ ଲାଗିବ ବ୍ରେକ୍ : କଠୋର ହେବ ଦଣ୍ଡବିଧାନ l

ସତ୍ୟଶିଖା ( ଭୁବନେଶ୍ୱର )  ୮ .୦୯.୨୦୨୦ :  କରୋନା ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ଖାସ୍‌ କରି ଖୋର୍ଦ୍ଧା , କଟକ ଜିଲ୍ଲା ପରି କେତେକ ଉପକୂଳ ଜିଲ୍ଲାରେ ବଢୁଛି ସଂକ୍ରମଣ ସଂଖ୍ୟା । ଖାସ୍‌ କରି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାର ଜଣାପଡିଛି । ତେବେ ସେହି ଅମାନିଆଙ୍କ ପ୍ରତି କଠୋର ମନୋଭାବ ଦେଖାଇଛନ୍ତି ରାଜ୍ୟ ସରକାର । ଏଣିକି ବିନା କାମରେ ବାହାରେ ବୁଲିବା ଓ କୋଭିଡ଼ କଟକଣା ନମାନିବା ପଡିବ ମହଙ୍ଗା ।

ଅମାନିଆ ସାବଧାନ ! ପଦାକୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଛକ ବଜାରରେ ଖଟି ଜମାନ୍ତୁ ନାହିଁ । ଅଯଥାରେ ଭିଡ଼ କରନ୍ତୁ ନାହିଁ । ପରସ୍ପରଠାରୁ ଦୂରତା ରକ୍ଷା କରନ୍ତୁ । ନହେଲେ ଆଉ ଛାଡ୍‌ ମିଳିବନି । ବୁଧବାରଠାରୁ ଅମାନିଆଙ୍କ ବରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଟିକିଏ ନିୟମ ଖିଲାପ କଲେ ଧରିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । କଠୋର ଦଣ୍ଡବିଧାନ ହେବ ଅମାନିଆଙ୍କ ବିରୋଧରେ । ଏ ନେଇ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।

ଏସ୍‌ଆରସି ଶ୍ରୀ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେପ୍ଟେମ୍ବର ମାସରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କଟକଣା କୋହଳ କରାଯାଇଛି । ଏହାର ଅର୍ଥ ନୁହେଁ, କରୋନା ପଳାଇଲା । ଯେପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ । ସେପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ । ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହେଲେ ଦେଖିବାକୁ ମିଳୁଛି, କିଛି ଅମାନିଆ ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ଧରି ସହର ବଜାର ଚକ୍କର କାଟୁଛନ୍ତି । ଦୋକାନ ବଜାରରେ ଖଟି ଜମାଉଛନ୍ତି । ଗୁପଚୁପ ଓ ଜଳଖିଆ ଦୋକାନରେ ଅଯଥାରେ ଭିଡ଼ କରୁଛନ୍ତି । ଅନେକ ଦୋକାନୀ ବି ମାସ୍କ ପିନ୍ଧୁନାହାନ୍ତି । ଲକଡାଉନ ହଟିବା ପରେ ହାଟ ବଜାରରେ ସନ୍ଧ୍ୟାବେଳା ପ୍ରବଳ ଭିଡ଼ ଜମୁଛି ।

ଅନେକ ସାମାଜିକ ଦୂରତା ନିୟମ ମାନୁନାହାନ୍ତି । ଏଭଳି କରିବା ଅର୍ଥ ଘରକୁ କରୋନାକୁ ନିମନ୍ତ୍ରଣ କରିବା ସହ ସମାନ । ଏମିତି କରି ନିଜ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି । ନିଜ ଘରେ ଥିବା ଡାଇବେଟିସ ରୋଗୀ, କିଡ୍‌ନି ରୋଗୀ, ହୃଦ୍‌ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି । କେବଳ ସରକାର କିମ୍ବା ପ୍ରଶାସନ ଚାହିଁଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଏଥିପାଇଁ ସାଧାରଣ ଜନତାଙ୍କ ସହଯୋଗ ନିହାତି ଆବଶ୍ୟକ । ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସଂଖ୍ୟକ କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ କେୟାର ହୋମ୍‌ ଆଦି କରାଯାଇଛି । ମାତ୍ର ସଂକ୍ରମଣ ରୋକିବାକୁ ହେଲେ ସାଧାରଣ ଲୋକଙ୍କର ବ୍ୟବହାର ଓ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ ।

ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ ଦେଶ ଓ ରାଜ୍ୟର ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଜୀବନ ଓ ଜୀବିକାର ସନ୍ତୁଳନ ପାଇଁ ଲୋକଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ । ପରିବାରର ମୁରବୀମାନେ ନିଜ ପରିବାର ସଦସ୍ୟଙ୍କୁ ଅଯଥାରେ ବାହାରେ ବୁଲିବା ନେଇ ଆକଟ କରିବା ଉଚିତ୍ ‌।

କଟକ ଓ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଲକଡାଉନ ହଟିବା ପରେ ଏ ଦୁଇ ସହରର ଶନିବାର ଓ ରବିବାର ସନ୍ଧ୍ୟାର ସ୍ଥିତି ଉପରେ ଆମେ ଅନୁଧ୍ୟାନ କରିଥିଲୁ । ସବୁ ରାସ୍ତାଘାଟ ଓ ଛକ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହା ଆଦୌ ଠିକ୍‌ ନୁହେଁ । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତଙ୍କୁ ନିୟମ ମାନିବାକୁ ପଡ଼ିବ । କୋଭିଡ୍‌ କଟକଣା ନିୟମାବଳୀକୁ ଉଲ୍ଲଘଂନ କଲେ ଆଉ ବରଦାସ୍ତ କରାଯିବନି । ଆସନ୍ତା ବୁଧବାରଠାରୁ ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ ହେବ। କଠୋର ଦଣ୍ଡାବିଧାନ ବି କରାଯିବ ।

Show More
Back to top button