ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।


ସତ୍ୟଶିଖା (ଭୁବନେଶ୍ୱର) ୭ .୦୯.୨୦୨୦ : ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିନ୍ତୁ, ତା’ ପରେ ବର୍ଷା ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଡକ୍ଟର ସାହୁଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୧୩ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହେଉଛି । ଏହା ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ରହିବ । ଏହା ପ୍ରଭାବରେ ଆନ୍ଧ୍ରରେ ଅଧିକ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବି ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।
ଡ. ସାହୁ କହିଛନ୍ତି, ଆସନ୍ତା ୧୨ ତାରିଖବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୨ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇପାରେ। ଆସନ୍ତା ୧୨ ତାରିଖ ରାତିରୁ ୧୫ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଅଧିକ ବର୍ଷା ହେବ । ବାକି ଅଞ୍ଚଳରେ ପାଗ ମେଘୁଆ ରହିବା ସହ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୨ ତାରିଖ ଯାଏଁ ଓଡ଼ିଶାରେ କମ୍ ବର୍ଷା ସମ୍ଭାବନା ଅଛି । ଆସନ୍ତା ସପ୍ତାହକ ଭିତରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ, ଉତ୍ତର ଓଡ଼ିଶାରେ ୮ରୁ ୧୦ ଯାଏଁ, ଉପକୂଳ ଓଡ଼ିଶାରୋ ୯ ଓ ୧୦ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି ।
ଅନ୍ୟ ଦିନଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ତେବେ ୧୪ ତାରିଖ ପରବର୍ତ୍ତୀ ସପ୍ତାହରେ ଭଲ ବର୍ଷା ସମ୍ଭାବନା ରହିଛି ରାଜ୍ୟରେ ।
ପାଣିପାଗ ବିଭାଗ କହିଛି, ସୋମବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବର୍ତ୍ତମାନ ବର୍ଷା ନଥିବାରୁ ରାଜ୍ୟର ଅନେକ ଜାଗାରେ ପାରଦ ୩୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି । ତେଣୁ ଦିନବେଳା ଗରମ ଅନୁଭୂତ ହେଉଛି । ଅଗଷ୍ଟ ଶେଷ ସପ୍ତାହର ଲଘୁଚାପ ବର୍ଷା ପରେ ରାଜ୍ୟରେ ବର୍ଷା ଗାଏବ ହୋଇଯାଇଛି ।