

ସତ୍ୟଶିଖା (ନୂଆଦିଲ୍ଲୀ) ୫ .୦୯.୨୦୨୦ : କେନ୍ଦ୍ର ସରକାର ପବ୍ଜି ଭିଡିଓ ଗେମ୍ ସମେତ ଚୀନ୍ର ୧୧୮ଟି ମୋବାଇଲ ଆପ୍କୁ ବ୍ୟାନ କରିବାର ଦୁଇଦିନ ପରେ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଗେମ୍ ଫୌ-ଜି ଅର୍ଥାତ୍ ଫୌଜ୍ ଶୁଭାରମ୍ଭ କରିବା ବିଷୟ ଘୋଷଣା କରିଛନ୍ତି । ଏହି ଗେମ୍ ଖେଳୁଥିବା ପ୍ରତିଟି ଲୋକ ଭାରତୀୟ ଯବାନଙ୍କ ବଳିଦାନ ସମ୍ପର୍କରେ ଜାଣିବାକୁ ପାଇବେ। ଏହା ଅକ୍ଷୟଙ୍କ ପ୍ରଥମ ଗେମିଂ ଭେଞ୍ଚର ।
ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇ ଅକ୍ଷୟ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇ ସେ ଏହି ଆକ୍ସନ ଗେମ୍ର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଗର୍ବର ବିଷୟ । ନିର୍ଭୟ ଓ ଏକତାର ମିସାଲ ହେଉଛି ଫୌ-ଜି । ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏହି ଗେମ୍ ଖେଳୁଥିବା ବ୍ୟକ୍ତିମାନେ ଦେଶର ବୀର ଯବାନଙ୍କ ବଳିଦାନର କାହାଣୀ ବିଷୟରେ ମଧ୍ୟ ଜାଣିପାରିବେ । ଏହି ମୋବାଇଲ ଗେମ୍ରୁ ମିଳିବାକୁ ଥିବା ଲାଭାଂଶ ମଧ୍ୟରୁ ୨୦ ପ୍ରତିଶତ ‘ଭାରତ କେ ବୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ ବୋଲି ଅକ୍ଷୟ ଉଲ୍ଲେଖ କରିଛନ୍ତି । ତେବେ ଫୌ-ଜି ଗେମ୍ କେବେ ଶୁଭାରମ୍ଭ ହେବ ତାହା କହିନାହାନ୍ତି । କିମ୍ବା ଏହି ଗେମ୍ ସମ୍ପର୍କରେ ସେ ଅଧିକ କିଛି ସୂଚନା ଦେଇନାହାନ୍ତି ।
ସୂଚନାଯୋଗ୍ୟ ଯେ ପବ୍ଜି ଗେମ୍ ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଦେଶର ପ୍ରାୟ ୧୭ କୋଟି ୫୦ ଲକ୍ଷ ଲୋକ ଏହି ଗେମ୍କୁ ନିଜ ମୋବାଇଲରେ ଡାଉନ୍ଲୋଡ କରିଥିଲେ । ଭାରତ-ଚୀନ୍ ମଧ୍ୟରେ ସୀମାରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ତାକୁ ଦୃଷ୍ଟିରେ ରଖି ସରକାର ଚୀନ୍ର ମୋବାଇଲ ଆପ୍କୁ ବ୍ୟାନ କରିଛନ୍ତି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୯ ଜୁନ୍ରେ ୫୯, ୨୭ ଜୁଲାଇରେ ୪୭ ଏବଂ ୨ ଅଗଷ୍ଟରେ ୧୧୮ଟି ଚୀନି ମୋବାଇଲ୍ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ତଥାପି ପବ୍ଜିର ମୋବାଇଲ ଓ ଡେସ୍କଟପ ଭର୍ସନ ଏବେ ବି ଚାଲୁରହିଛି । କିନ୍ତୁ ଅକ୍ଷୟଙ୍କ ନୂଆ ଗେମ୍ ବିଷୟ ଘୋଷଣା ପରେ ତାକୁ ସମର୍ଥନ ମିଳିବାରେ ଲାଗିଲାଣି ।